ନବବିବାହିତା ଫେରାର ଘଟଣା:ଏକାକି ରହିବାକୁ ଏସପିଙ୍କ ଦ୍ୱାରସ୍ଥ

ନନ୍ଦପୁର: ନନ୍ଦପୁର ବ୍ଲକ ସଦର ମହକୁମାର ମନିତୋଷ ବାଲାଙ୍କ ପତ୍ନୀ ଶୌଚ ଯିବା ବାହାନାରେ ଅନ୍ୟ ଜଣେ ଲୋକଙ୍କ ସହ ମୋଟର ସାଇକେଲରେ ଫେରାର ହୋଇଯାଇଥିବା ନେଇ ନନ୍ଦପୁର ଥାନାରେ ଗତ ୯ ତାରିଖରେ ସ୍ୱାମୀ ଅଭିଯୋଗ କରିଥିଲେ। ତେବେ ଗତକାଲି ନବବଧୂ ତାଙ୍କ ବାପାଙ୍କ ସହ କୋରାପୁଟରେ ଏସପିଙ୍କ ଦ୍ୱାରସ୍ଥ ହୋଇ ନିଜ ବାପାଙ୍କ ଘରେ ରହିବା ସହ ତାଙ୍କ ବିରୋଧରେ ହୋଇଥିବା ନିଖୋଜ ମାମଲା ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି। ସୂଚନାଥାଉକି, ବିବାହିତା ଯୁବତୀ ଜଣକ ଗତ ୧ ତାରିଖରେ ପଟାଙ୍ଗିର ଜଣେ ଯୁବକଙ୍କୁ ବିବାହ କରିଥିଲେ।

ଚତୁର୍ଥ ଦିନ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିବା ପାଇଁ ସ୍ୱାମୀଙ୍କୁ କହିଥିଲେ। ଏହାପରେ ସ୍ୱାମୀଙ୍କ ପରିବାର ଯୁବତୀର ବାପାଙ୍କୁ ଡକାଇ ଝିଅକୁ ହସ୍ତାନ୍ତର କରିଥିଲେ। ଏହାପରେ ଯୁବତୀ ତାଙ୍କ ପ୍ରେମିକ ମନିତୋଷ ବାଲାଙ୍କୁ ନନ୍ଦପୁର ଥାନାରେ ବିବାହ କରିିଥିଲେ। ତେବେ ବିବାହର କିଛି ଦିନ ପରେ ଯୁବତୀ ଜଣକ ଗତ ୯ ତାରିଖ ସକାଳେ ଶୌଚ ପାଇଁ ଯିବାକୁ କହି ଅନ୍ୟ ଜଣେ ବ୍ୟକ୍ତିଙ୍କ ମୋଟର ସାଇକେଲରେ ଫେରାର ହୋଇଯାଇଥିବା ନେଇ ସ୍ୱାମୀ ମନିତୋଷ ନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଗତକାଲି ଯୁବତୀ ତାଙ୍କ ବାପାଙ୍କ ସହ କୋରାପୁଟ ଏସପିଙ୍କୁ ଭେଟି ସ୍ୱାମୀଙ୍କ ଘରେ ପାଇଖାନା ଏବଂ ଅନ୍ୟ ସର୍ବନିମ୍ନ ମୌଳିକ ସୁବିଧା ନଥିବାରୁ ତାଙ୍କ ଘର ଛାଡିଥିବା କହିଥିଲେ। ତେଣୁ ତାଙ୍କ ବିରୋଧରେ ହୋଇଥିବା ନିଖୋଜ ମାମଲା ବନ୍ଦ କରିବା ସହ ବାପାଙ୍କ ଘରେ ରହିବାକୁ ଏସପିଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର