୩ ଦିନରେ ଦେଢ଼ କୋଟିର ଗଞ୍ଜେଇ ଜବତ

ଜୟପୁର: ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲା ପୁଲିସ ଚଳଚଂଚଳ ହୋଇପଡିଛି। ଏହି କ୍ରମରେ ଗତ ତିନି ଦିନ ମଧ୍ୟରେ ଜୟପୁର ସବଡିଭିଜନର ୪ଟି ଥାନା ଅଂଚଳରୁ ଦେଢ଼ କୋଟି ଟଙ୍କାର ଗଂଜେଇ ଜବତ କରାଯାଇଛି ବୋଲି ଜୟପୁର ଏସଡିପିଓ ଆଇପିଏସ୍ ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏପରିକି ୪ଟି ମାମଲାରେ ୧୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଯୁବତୀ ବି ଏଥିରେ ସାମିଲ ରହିଥିବା ଜଣାପଡିଛି। ଗିରଫ ହୋଇଥିବା ସମସ୍ତେ ୧୯ରୁ ୨୭ବର୍ଷ ମଧ୍ୟରେ ଥିବା ଯୁବକ ଓ ଯୁବତୀ। ଏହି ୧୨ଜଣଙ୍କ ମଧ୍ୟରୁ ୩ଜଣ ଓଡିଶାର ଜୟପୁର, ମାଲାକାନଗିରୀ, ଅନୁଗୁଳର ଜଣେ ଲେଖାଏଁ ଅଭିଯୁକ୍ତ ରହିଛନ୍ତି। ଅନ୍ୟ ଅଭିଯୁକ୍ତ ଅନ୍ତଃରାଜ୍ୟ ଅପରାଧୀ। ଗତକାଲି ରାତିରେ ଜୟପୁର ଟାଉନ ଥାନା ପୁଲିସ ଜୟପୁର –ମାଲାକାନଗିରି ବାଇପାସ୍ ରାସ୍ତାର ହାତୀଶାଳ ନିକଟରେ ନମ୍ବର ବିହୀନ ଟାଟା ଟିଆଗୋ କାରକୁ ଧରିଥିଲେ। ଏଥିରେ ୧୧୦କିଲୋ ଗଂଜେଇ ଚାଲାଣ ହେଉଥିବା ଦେଖିଥିଲେ। ଏହି କାରରେ ମଧ୍ୟ ପ୍ରଦେଶର ଚାନ୍ଦିନୀ ନାମିଲି(୨୫), ଅନୁଜ ଗୌତମ(୨୭), ହରିଶଙ୍କର ଦେବାୟନ(୧୯) ସହ ଜୟପୁରର ବିଷ୍ଣୁ ସାହୁ(୨୭)ଙ୍କୁ ଗିରଫ କରିଥିଲେ। ସେହିଭଳି ଜୟପୁର ସଦର ଥାନା ଅର୍ନ୍ତଗତ ଆମ୍ବାଗୁଡା ଫାଣ୍ଡି ନିକଟରେ ଜାତୀୟ ରାଜପଥରେ ଯାଂଚ ଚାଲିଥିବା ବେଳେ ଗୋଟିଏ ସ୍ବିଫ୍ଟ ଡିଜାଇର କାର(ସିଜି ୧୬ସିଇ ୫୪୬୬) ଧରା ପଡିଥିଲା। ଏଥିରୁ ୨୨୫କିଲୋ ଗଂଜେଇ ଜବତ କରିଛି ପୁଲିସ। ଗଂଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶର ପ୍ରକାଶ ନାଇ(୨୦), ଛତିଶଗଡର ରାକେଶ କୁମାର ବର୍ମନ(୨୪), ରାଜୁ ବିଶ୍ବକର୍ମା(୨୧)ଙ୍କୁ ଗିରଫ କରାଯାଇଛି। ସେଭଳି ଜୟନ୍ତିଗିରୀ ନିକଟସ୍ଥ ହଡପା ଜଙ୍ଗଲ ମଧ୍ୟରୁ ସାଣ୍ଟ୍ରୋ କାର(ଓଆର ୧୯ବି ୭୩୭୪)ରୁ ୨୮୦କିଲୋ ଗଂଜେଇ ଜବତ ହୋଇଛି।

ଏଥିରେ ଅନୁଗୁଳର ଭଂଜନ ସାହୁ(୨୪), ମାଲାକାନଗିରିର ରାମ ଖେମୁଣ୍ଡୁ(୨୦) ଗିରଫ ହୋଇଛନ୍ତି। ଯାଂଚ ଚାଲିଥିବା ଦେଖି ଏହି କାର ଦ୍ରୁତ ଗତିରେ ଯାଇ ଆମ୍ବାଗୁଡା ନିକଟରେ ଜ‌ୈନକ ବୃଦ୍ଧଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହା ପରେ ଅତ୍ୟନ୍ତ ଦ୍ରୁତ ଗତିରେ ଯାଇ ହଡପା ଜଙ୍ଗଲ ମଧ୍ୟରେ କାରକୁ ଲୁଚାଇବାକୁ ପ୍ରୟାସ କରିଥିଲେ ଦୁର୍ବୃତ୍ତ। ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରୁ କାର୍ ଜବତ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ ଧରିଥିଲେ। ସେହିଭଳି ବୈପାରିଗୁଡା ଥାନା ଅଂଚଳରେ ଗୋଟିଏ ୧୦ଚକିଆ ଟ୍ରକରେ ତସୁ ମଧ୍ୟରେ ୪୦୦ରୁ ଉର୍ଦ୍ଧ୍ବ କିଲୋ ଗଂଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଉତ୍ତରପ୍ରଦେଶର ସଚିନ କୁମାର(୨୫), ଟିଙ୍କୁ କୁମାର(୨୦), ମୁରତଧଜ୍ ଶୁକ୍ଳା(୧୯)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ସାଗରିକା ନାଥ କହିଛନ୍ତି। ଜୟପୁରରେ ଧରା ପଡିଥିବା ଗଂଜେଇ ମାମଲାରେ ପୁଲିସ ଠାରୁ ବର୍ତ୍ତିବା ପାଇଁ ବିଭିନ୍ନ ସମୟରେ ଯୁବତୀଙ୍କ ହାତରେ ଗଂଜେଇ ଚାଲାଣ କରାଯାଉଥିଲା ବୋଲି ଏସଡିପିଓ କହିଛନ୍ତି। କୋରାପୁଟ-ମାଲାକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରୁ ଜୟପୁର ଦେଇ ଆନ୍ଧ୍ର କିମ୍ବା ଛତିଶଗଡ, ମଧ୍ୟପ୍ରଦେଶ ଦେଇ ଉତ୍ତର ପ୍ରଦେଶକୁ ଏହି ଚେର ଲମ୍ବିଛି ବୋଲି କହିଛନ୍ତି ଏସଡିପିଓ। ପୂର୍ବ ଭଳି ବଡ ବଡ ଗାଡିରେ ନେବା ବଦଳରେ ସାନ ସାନ କାରରେ ଚାଲାଣ କରାଯାଉଛି। ଚାଲାଣକାରୀଙ୍କ ମାଷ୍ଟରମାଇଣ୍ଡ ତଥା ବ୍ୟବସାୟୀ ମାନେ ଅନ୍ୟ ଗାଡିରେ ରହିବା ସହ ସେମାନଙ୍କ ନିକଟରେ ସବୁ ପଇସା ରହୁଥିବା ତଦନ୍ତ ବେଳେ ପୁଲିସକୁ ସୂଚନା ମିଳିଛି। ସେଭଳି ଏହି ଚାଳାଣକାରୀ ମାନଙ୍କ ନିକଟରୁ ମୋବାଇଲ୍ ପୋନ୍ ସହ ଅଳ୍ପ କିଛି ଟଙ୍କା ଜବତ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜୟପୁର ଟାଉନଥାନା ଆଇଆଇସି ବାଲେଶ୍ବର ଗିଧୀ, ସଦରଥାନା ଅଧିକାରୀ ଧିରେନ୍ କୁମାର ବେହେରା, ଆମ୍ବାଗୁଡା ପାଣ୍ଡିଅଧିକାରୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ। ନିର୍ବାଚନ ଓ ଆଦର୍ଶଆଚରଣ ବିଧି ଲାଗୁ ହୋଇଥିବାରୁ ଏବଂ କୋରାପୁଟ ଜିଲ୍ଲାର ମାଓ ପ୍ରବଣ ଅଂଚଳ ହୋଇଥିବାରୁ ପୁଲିସ ଅଧିକା କ୍ରୀୟାଶୀଳ ହେବା ସହ ସର୍ଭିଲେନସ୍, ଷ୍ଟ୍ରାଇକିଂ ଫୋର୍ସ ସହ ବ୍ୟାପକ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଜୟପୁର ଏସଡିପିଓ ଭାବେ ସାଗରିକାନାଥ ଯୋଗଦେବା ପରେ ଏତେ ପରିମାଣର ଗଂଜେଇ ବିଭିନ୍ନ ଥାନା ଅଂଚଳରେ ଜବତ ହୋଇଥିବାରୁ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି। ତେବେ ସ୍ଥାନୀୟ ଅଂଚଳର ବହୁ ଯୁବକ ଓ ଯୁବତୀ ଏହି ଚାଲାଣରେ ସାମିଲ ରହୁଥିବାରୁ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର