ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ ଅଡ଼ୁଆରେ ପଡ଼ିଲେ ଡାକ୍ତରାଣୀ

ଜୟପୁର: ଅସ୍ତ୍ରୋପଚାର ଗୃହରେ ନିସ୍ତେଜ ହୋଇ ପଡି ରହିଥିଲେ ରୋଗୀ। ଡାକ୍ତର ଏବଂ ସହଯୋଗୀ ମିଶି କରୁଥିଲେ ଅସ୍ତ୍ରୋପଚାର। କିନ୍ତୁ ଜଣେ ଡାକ୍ତରୀ ନିଜ ଦାୟିତ୍ବକୁ ଭୁଲି ଯାଇ ଦାୟିତ୍ବହୀନ ଭାବେ ଅସ୍ତ୍ରୋପଚାର ସମୟର ସେଲଫି ନେବାରେ ବ୍ୟସ୍ତ ଥିଲେ। ଏତିକିରେ ସରିନଥିଲା ଡାକ୍ତରାଣୀଙ୍କ କାରନାମା। ପରବର୍ତୀ ସମୟରେ ଏହି ସେଲଫିକୁ ସେ ସୋସିଆଲ ମିଡିଆରେ ବି ପୋଷ୍ଟ କରିବାକୁ ପଛାଇ ନଥିଲେ। ନିକଟ ଅତିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିବା ଜୟପୁର ମେଡିକାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଯାହାକୁ ନେଇ ଜୟପୁର ସହରରେ ନାନା ଚର୍ଚ୍ଚା ଆରମ୍ଭ ହେବା ସହ ତୀବ୍ର ନିନ୍ଦା କରାଯାଇଛି।
ସୂଚନା ଅନୁଯାୟୀ, ଆଜି ଜଣେ ଗର୍ଭବତୀଙ୍କ ପ୍ରସବ ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ତ୍ରୋପଚାର କକ୍ଷରେ ଭର୍ତି କରାଯାଇଥିଲା। ଡାକ୍ତର ଡି.ବି. ତ୍ରିପାଠୀ, ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସାଧନା ଦାସ ଏବଂ ଡାକ୍ତର ସସ୍ମିତା ଦାସ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହୋଇ କକ୍ଷକୁ ଯାଇଥିଲେ। ତେବେ ଅସ୍ତ୍ରୋପଚାର ଚାଲିଥିବା ବେଳେ ମୋବାଇଲ ନେଇ ଭିତରକୁ ଯାଇଥିବା ଡାକ୍ତର ସସ୍ମିତା ଦାସ ନିଜ ପ୍ରଥମ କାମକୁ ଭୁଲି ଯାଇଥିଲେ। ରୋଗୀଙ୍କ ଚିକିତ୍ସା କରିବା ପରିବର୍ତେ ‌ସେଲଫି ନେବାରେ ବ୍ୟସ୍ତ ରହିଥିଲେ। ଅସ୍ତ୍ରୋପଚାର କକ୍ଷ ପାଇଁ କିଛି ନିୟମ ଏବଂ କଟକଣା ରହିଥିବା ବେଳେ ତାହାକୁ ଉଲଂଘନ କରି ଦାୟିତ୍ବହୀନ କାମ କରିଛନ୍ତି ଡାକ୍ତର ଦାସ। ଅନ୍ୟପଟେ କିଛି ବରିଷ୍ଠ ଡାକ୍ତର ଅସ୍ତ୍ରୋପଚାର କକ୍ଷରେ ରହିଥିଲେ ବି କେହି ମଧ୍ୟ ମୁହଁ ଖୋଲି ନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରୋଗୀଙ୍କ ଜୀବନ ସହ ଏଠାରେ ଖେଳ ଖେଳାଯାଉଥିବା ନେଇ ବି ଅଭିଯୋଗ ହୋଇଛି।
ଏନେଇ ସିଡିଏମଓ ଲଳିତ ମୋହନ ରଥ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଓଟି ଭିତରେ ସେଲଫି ନେବା ଭୁଲ। ସେମାନଙ୍କୁ କିଏ ଓ କେଉଁ ପରିସ୍ଥିତିରେ ଅନୁମତି ଦେଲୋ ତାହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସିଡିଏମଓ ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ତଦନ୍ତ ପାଇଁ କେତେ ଦିନ ଲାଗୁଛି ଏବଂ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର