ପଥର କୁଆଁରିରେ ଦୁର୍ଘଟଣା :ମହିଳା ଶ୍ରମିକଙ୍କ ସମେତ ୨ମୃତ

ଗୁଣପୁର: କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଗୁମ୍ମା ପଥର କୁଆଁରି ଧସିବା ଘଟଣାର ୪ଦିନ ପରେ ବି ଚାପି ହୋଇ ରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ନାହିଁ। ଅନ୍ୟପଟେ ଆଜି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତ ଲବା ଗ୍ରାମ ନିକଟସ୍ଥ ଏକ ପଥର କୁଆଁରିରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ପଥର ବୋଝେଇ ଟିପ୍ପର ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜୀବନ ବିକଳରେ ଗାଡିରୁ ଡେଇଁ ଟିପ୍ପର ହେଲପରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ଜଣ ଶ୍ରମିକ ଗୁରୁତର ହୋଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ପୁଟାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତ ଲବା ଗ୍ରାମ ନିକଟସ୍ଥ ଏକ ପଥର କୁଆଁରିକୁ ଆନ୍ଧ୍ରର ବିଆରସି ନାମକ ଏକ କଂପାନି ଲିଜ୍‌ରେ ନେଇ ପଥର ଫୁଟାଇ ଚାଲାଣ କରୁଛି। ପ୍ରତିଦିନ ଭଳି ଆଜି ମଧ୍ୟ ଏଠାରେ ପଥର ଚାଲାଣ କାର୍ଯ୍ୟ ଚାଲିଥିଲା। ଅପରାହ୍ନ ପ୍ରାୟ ସାଢେ ୫ଟାରେ ପାହାଡ ଉପରେ ଏକ ଟିପ୍ପରରେ ପଥର ବୋଝେଇ ହେଉଥିବା ବେଳେ ହଠାତ୍‌ ଟିପ୍ପରଟି ନିୟନ୍ତ୍ରଣ ହରାଇ ତଳକୁ ଖସି ଯାଇ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଟ୍ରାକ୍ଟରରେ ମେଟାଲ ଲୋଡ୍‌ କରୁଥିବା ମହିଳା ଶ୍ରମିକ ଗେଲ ଶବରଙ୍କ ଉପରେ ଟିପ୍ପର ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଗାଡିଟି ତଳକୁ ଖସୁଥିବା ଦେଖି ଟିପ୍ପରର ହେଲପର ଦାଉଦ ଶବର ଗାଡିରୁ ଡେଇଁବା ସମୟରେ ପଥର ବାଜି ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଟ୍ରାକ୍ଟର ନିକଟରେ କାମ କରୁଥିବା ଶ୍ରମିକ ଶ୍ରୀମନ୍ତି ଶବର ଓ କିରଣ ଶବର ମଧ୍ୟ ଗୁରୁତର ହୋଇଥିଲେ। ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିିତ୍ସାଳୟରେ ଭର୍ତି କରାଯାଇଥିଲା। ଖବର ପାଇ ପୁଟାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର