ଲାଲଗଡ଼ରେ ପିସିସି ସଭାପତି : ରାଫେଲ୍‌, ଗୁରୁପ୍ରିୟା ପ୍ରସଙ୍ଗରେ ବର୍ଷିଲେ

ଜୟପୁର : ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଆଜି ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଗସ୍ତରେ ଆସି ରାଫେଲ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଗୁରୁପ୍ରିୟା ସେତୁ ପାଇଁ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ରାଫେଲ୍‌ ଚୁକ୍ତିକୁ ସେ ଶତାବ୍ଦୀର ମହାଦୁର୍ନୀତି ବୋଲି ଅଭିହିତ କରିବା ସହିତ ଏଥିଯୋଗୁଁ ରାଜ୍ୟ ତଥା କୋରାପୁଟ ଜିଲ୍ଲାର ଅପୂରଣୀୟ କ୍ଷତି ଘଟିଛି ବୋଲି ଅଭିଯୋଗ କରିଛନ୍ତି।

ଜୟପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୨୦୧୨ରେ ୟୁପିଏ ସରକାର ରାଫେଲ୍‌ (ଲଢୁଆ ବିମାନ) କ୍ରୟ କରିବାକୁ ଚୁକ୍ତି କରିଥିଲା। ଏଥିରେ ୧୮ଟି ବିମାନ ଫ୍ରାନ୍ସରୁ କିଣାଯିବାକୁ ଯୋଜନା ରହିଥିବାବେଳେ ୧୦୮ଟି ବିମାନ ହାଲ୍‌ରେ ନିର୍ମାଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ୨୦୧୫ରେ ମୋଦି ସରକାର ୩୬ଟି ରାଫେଲ ବିମାନକୁ (ସେହି ସମୟରେ ଗୋଟାକୁ ୫୨୬କୋଟି ଥିଲା) ୩ଗୁଣ ଅଧିକ ୧୬୭୦ କୋଟିରେ ଫ୍ରାନ୍ସ ଠାରୁ କିଣିବାକୁ ଚୁକ୍ତି କଲେ। ଏଥିରେ ଦେଶର ୪୨ ହଜାର କୋଟି ଟଙ୍କା ଟଙ୍କା କ୍ଷତ ଘଟିଛି।

‘ଲଢ଼ୁଆ ବିମାନ ଇଂଜିନ ନିର୍ମାଣ କରୁଥିବା ଅଭିଜ୍ଞ ସଂପନ୍ନ ହାଲ୍‌କୁ ଏହା ପ୍ରଦାନ ନକରି ଚୁକ୍ତିର ମାତ୍ର ୧୨ ଦିନ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଅନିଲ ଆମ୍ବାନିଙ୍କ କମ୍ପାନିକୁ ଏହି ଲଢୁଆ ବିମାନ ତିଆରି କରିବାର ଅନୁମତି ଦିଆଯାଇଛି। ହାଲ୍‌ରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଇଂଜିନ ନିର୍ମାଣ ହେବା ସହ ୧୦ ହଜାରରୁ ଉର୍ଦ୍ଧ୍ୱ ଇଂଜିନ ମରାମତି କରି ଅଭିଜ୍ଞତା ଥିବାବେଳେ ଏହାକୁ ଅନୁମତି ଦିଆଯାଇନାହିଁ।’ ‘ହାଲ୍‌ ଅନୁମତି ପାଇଥିଲେ ଏହି ଅଂଚଳର ବେକାର ଯୁବକ ଯୁବତୀ କର୍ମନିଯୁକ୍ତି ପାଇପାରିଥାନ୍ତେ,’ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏଥିସହିତ, ମାଲକାନଗିରି ଜିଲ୍ଲାର ଲାଲଗଡ଼ ଭାବେ ପରିଚିତ ଚିତ୍ରକୋଣ୍ଡା ଅଂଚଳର ଗୁରୁପ୍ରିୟା ସେତୁ ପରିଦର୍ଶନ କରି ଏହି ସେତୁ ନିର୍ମାଣର ବଡ଼ଧରଣର ଦୁର୍ନୀତି ହୋଇଥିବା ପ୍ରକାଶ କରିଛନ୍ତି। ସେତୁ ନିର୍ମାଣ ପାଇଁ ରାଜ୍ୟ ରାଜକୋଷରୁ ୭୪ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ କରିଥିଲେ।

ପିସିସି ସଭାପତିଙ୍କ ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗସ୍ତ କାର୍ଯ୍ୟକ୍ରମରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ବିଧାୟକ ଭୁଜବଳ ମାଝୀ, ମିଡିଆ ସେଲ୍‌ ପ୍ରଭାରୀ ସତ୍ୟ ପ୍ରକାଶ ନାୟକ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ନେତା ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର