ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ଟିକିରି: କାଶୀପୁର ବ୍ଲକ ଟିକିରି ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ନିଜ ଅଞ୍ଚଳର ଡମ୍ବୁରି ମାଝୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିଲା। ଏହାର ସୁଯୋଗ ନେଇ ତଥା ବିବାହର ପ୍ରତିଶ୍ରୁତି ଦେଇ ଡମ୍ବୁରି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ବିବାହ କରିବାକୁ ଡମ୍ବୁରିଙ୍କୁ କହିଥିଲେ। ତେବେ ଏହା ପର ଠାରୁ ଡମ୍ବୁରି ଧରାଛୁଆଁ ଦେଉନଥିବା ପୀଡିତା କହିଛନ୍ତି। ପୀଡିତାଙ୍କ ମା’ କିଛି ବର୍ଷ ତଳେ ଆରପାରିକୁ ଚାଲି ଯାଇଥିବା ବେଳେ ଘରେ ବୃଦ୍ଧ ବାପା ରହିଛନ୍ତି।

ବାପାଙ୍କ ସହିତ କୁଲି କରି ପୀଡିତା ଜଣକ ପରିବାର ଚଳାଇ ଆସୁଥିଲେ। ତେବେ ଡୁମ୍ବରିଙ୍କ ଦ୍ୱାରା ପ୍ରତାରିତ ହେବା ପରେ ପୀଡିତା ଚିନ୍ତାରେ ରହିଛନ୍ତି। ଅନ୍ୟପଟେ ଡୁମ୍ବୁରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ଜାଣିବା ପରେ ପୀଡିତା ଏନେଇ ଟିକିରି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୁଲିସ ଓ ଗ୍ରାମବାସୀ ଡମ୍ବୁରିଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ପୀଡିତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିବାକୁ ମନା କରିଦେବାରୁ ପୁଲିସ ଗତ ୧୮ତାରିଖରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ପୀଡିତାଙ୍କୁ ଜୀବନରେ ମାରିଦେବାକୁ ଡମ୍ବୁରିି ଧମକ ଦେଉଥିବା ଏତଲାରେ ଉଲ୍ଲେଖ ରହିଛି। ଅନ୍ୟପଟେ ଗର୍ଭବତୀ ଥିବାରୁ ଶିଶୁଟିର ଭବିଷ୍ୟତ ନେଇ ପୀଡିତା ଜଣକ ଚିନ୍ତାରେ ପଡିଛନ୍ତି। ପୀଡିତାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର