ଗଞ୍ଜେଇ ମାଫିଆକୁ ଏନ୍‌କାଉଣ୍ଟର୍‌, ଚିକିତ୍ସା ପରେ କୋର୍ଟଚାଲାଣ

ଜୟପୁର : ଦୀର୍ଘ ୫ବର୍ଷ ହେଲା ପୁଲିସକୁ ବାରମ୍ବାର ଚକମା ଦେଇ ଖସି ଯାଉଥିବା ଗଞ୍ଜେଇ ମାଫିଆ କାବୁଲ ଖରା ଆଜି ପୁଲିସ ପଞ୍ଝାରେ ପଡ଼ିଛି। ସ୍ଥାନୀୟ ହାତୀଶାଳ ନିକଟରେ ଜୟପୁର ଟାଉନ ପୁଲିସ ଆଜି ତାକୁ ଏନ୍‌କାଉଣ୍ଟର କରିଛି। ଉଭୟ ପଟୁ ପ୍ରାୟ ୫ରାଉଣ୍ଡ ଗୁଳି ଫୁଟିଥିବା ବେଳେ କାବୁଲର ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି।

କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ କାବୁଲ ନାଁରେ ଗଞ୍ଜେଇ ଚୋରାଚାଲାଣ ଏବଂ ଡକାୟତି ଭଳି ସଂଗିନ ମାମଲା ରହିଛି। ତେଣୁ ଉଭୟ ଜିଲ୍ଲାର ପୁଲିସ ପାଇଁ ସେ ଥିଲା ମୋଷ୍ଟ୍‌ୱାଣ୍ଟେଡ୍। ଏଥିପାଇଁ ତା’ର ଗତିବିଧି ଉପରେ ପୁଲିସ୍‌ର ନଜର ରହିଥିବାବେଳେ ଆଜି ସେ ଜୟପୁରରେ ଥିବା କୌଣସି ସୂତ୍ରରୁ ଟାଉନ ପୁଲିସକୁ ସୂଚନା ମିଳିଥିଲା।

ବାମୁଣିଗାଁରୁ ପାୱାର ହାଉସ ଦେଇ ହାତୀଶାଳ ଛକ ଆଡେ ଗୋଟିଏ ସ୍ବିଫ୍ଟ ଡିଜାୟାର କାରରେ ଯାଉଥିବା ନେଇ ଠୋସ୍ ସୂଚନା ମିଳିବା ପରେ ପୁଲିସ ଗୋଟିଏ ଟିମ୍ ଗଠନ କରିଥିଲା। ଟାଉନ ଆଇଆଇସି ବାଲେଶ୍ବର ଗିଦ୍ଧି, ଏସଆଇ ଶିବ ଶଙ୍କର ସାହୁଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ପିଛା କରିବା ଆରମ୍ଭ କରିଥିଲେ। ତେଣୁ କାବୁଲ ଗାଡ଼ିର ଗତିକୁ ବଢ଼ାଇ ଦେଇ ପୁଣି ଖସି ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ କାର ଭାରସାମ୍ୟ ହରାଇ ରାସ୍ତାର ଗୋଟିଏ ପାର୍ଶ୍ବ‌କୁ ଓଲଟି ପଡ଼ିଥିଲା। ଏହାପରେ କାର ଭିତରୁ ବାହାରି ଚାଲି ଯିବାକୁ ପ୍ରୟାସ କରୁଥିଲା। ଏତିକି ବେଳେ ପୁଲିସ ନିକଟତର ହେବାରୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା। ଯାହାର ପାଲଟା ଜବାବ ଦେଇ ପୁଲିସ ୩ରାଉଣ୍ଡ ଗୁଳି ଫୁଟାଇଥିଲା ଏବଂ ସେଥିରୁ ଗୋଟିଏ ଗୁଳି ତା’ ଗୋଡ଼ରେ ବାଜିଥିଲା। ତେଣୁ ସେ ଘଟଣା ସ୍ଥଳରେ ପଡ଼ି ରହିବାରୁ ପୁଲିସ କାବୁ କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର କହିବାରୁ କୋର୍ଟ ଚାଲାଣ କରାଯାଇଛି। କାବୁଲ’ ନିକଟରୁ ଗୋଟିଏ ୭ଏମଏମ ମାଉଜର, ଗୋଟିଏ ଖୋକା, ୨ଟି ଜୀବନ୍ତ ଗୁଳି ସହ ନମ୍ବର ବିହୀନ ଧଳା ରଙ୍ଗର ସ୍ବିଫ୍ଟ ଡିଜାୟାର କାର ଜବତ କରାଯାଇଛି ବୋଲି ଏସ୍‌ଡିପିଓ ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ସମ୍ବନ୍ଧିତ ଖବର