ବଢୁଛି ସଂରକ୍ଷଣ ତାତି:ସମ୍ଭାବ୍ୟ ତାଲିକାକୁ ବିଜେଡି-ବିଜେପିର ବିରୋଧ

ତାଲିକା ନ ବଦଳିଲେ ଆନ୍ଦୋଳନ ଧମକ

କୋରାପୁଟ: ଆସନ୍ତା ପୌର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଆସନ ସଂରକ୍ଷଣ ଚିଠା ତାଲିକାକୁ ବିଜେଡି ଓ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସୁହାଇଲା ପରି ଏହା ପ୍ରସ୍ତୁତ କରାଯାଇଛି ବୋଲି ଉଭୟ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିନେଇ ଦୁଇ ଦଳର ନେତାମାନେ ଆଜି ନିର୍ବାହୀ ଅଧିକାରୀଙ୍କୁ ଭେଟି ସଂରକ୍ଷଣ ତାଲିକାର ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ତାଲିକା ନ ବଦଳିଲେ ଆନ୍ଦୋଳନ ହେବ ବୋଲି ସେମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
କୋରାପୁଟ ପୌରାଞ୍ଚଳରେ ୨୧ଟି ଓ୍ଵାର୍ଡ ରହିଛି। ଓ୍ଵାର୍ଡ ପୁର୍ନଗଠନ ଓ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଏଥିନେଇ ଜିଲ୍ଲାପାଳ କୋରାପୁଟ ପୌରପାଳିକାକୁ ଚିଠି କରିଥିଲେ। ଚିଠି ପାଇବା ପରେ କୋରାପୁଟ ପୌର ପାଳିକା ପକ୍ଷରୁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ନିର୍ବାଚନ ପାଇଁ ଓ୍ଵାର୍ଡ ପୁର୍ନଗଠନ ନ କରିବାକୁ ନିଷ୍ପତ୍ତି ହୋଇଥିଲାବେଳେ ପ୍ରାଥମିକ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି। ସମ୍ଭାବ୍ୟ ସଂରକ୍ଷଣ ତାଲିକା ଅନୁଯାୟୀ, କୋରାପୁଟର ୨୧ଟି ଓ୍ଵାର୍ଡ ମଧ୍ୟରୁ ୧୩ଟି ଅଣ ସଂରକ୍ଷିତ ବର୍ଗଙ୍କ ପାଇଁ ରହିଛି। ତେବେ ଏଥିରୁ ୭ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି ୪ଟି ଆସନ ଅନୁସୂଚିତ ଜାତି(ଏସସି)ଙ୍କ ପାଇଁ ସଂରକ୍ଷିତ ରହିଥିଲାବେଳେ ସେଥିରୁ ୨ଟି ଆସନରେ କେବଳ ମହିଳାମାନେ ଲଢିପାରିବେ। ଅନୂସୂଚିତ ଜନଜାତି(ଏସଟି)ଙ୍କ ପାଇଁ ୪ଟି ଆସନ ରହିଛି। ଏଥିରୁ ୨ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଗତ ୨୦୧୩ ନିର୍ବାଚନରେ ସମୁଦାୟ ୨୧ଟି ଆସନରୁ ୪ଟି ଏସଟି ଓ ୩ଟି ଓ୍ଵାର୍ଡ ଏସସିଙ୍କ ପାଇଁ ସଂରକ୍ଷିତ ରହିଥିଲା। ୨୦୧୧ ଜନଗଣନା ଅନୁଯାୟୀ ଏହି ତାଲିକା କରାଯାଇ ଗତ ୧୨ତାରିଖରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିନେଇ ଜିଲ୍ଲାପାଳ ଚିଠା ତାଲିକା ପ୍ରକାଶ କରିବା ପରେ ଆପତ୍ତି ଅଭିଯୋଗ ଶୁଣାଯିବ।
ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବର ବେଳକୁ ପୌର ନିର୍ବାଚନ ହେବାର ସମ୍ଭାବନା ଥିଲା ବେଳେ କିଛି ଆଶାୟୀ ନେତା ଏହି ସଂରକ୍ଷଣ ତାଲିକା ଦେଖି ଅଡୁଆରେ ପଡି ଯାଇଛନ୍ତି। ତେଣୁ ବିିଭନ୍ନ ମହଲରୁ ବିରୋଧ ପ୍ରକାଶ ପାଇଛି। ବିଶେଷ କରି ବିଜେଡି ଓ ବିଜେପି ନେତାମାନେ ଏହି ସମ୍ଭାବ୍ୟ ତାଲିକାକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସୁହାଇଲା ପରି ଏହି ଚିଠା ତାଲିକା ପ୍ରସ୍ତୁତ କରାଯାଇଛି। ଆଇନ ଅନୁସାରେ ଏହା ପ୍ରସ୍ତୁତ କରାଯାଇନି। କିଛି ଓ୍ଵାର୍ଡ ଗତ ୩ଟି ନିର୍ବାଚନରେ ଅଣ ସଂରକ୍ଷିତ ବର୍ଗଙ୍କ ପାଇଁ ରହି ଆସିଥିଲାବେଳେ ଏଥର ମଧ୍ୟ ଏହା ଅଣ ସଂରକ୍ଷିତ କରାଯାଇଛି। ଫଳରେ ଆଦିବାସୀ ଓ ହରିଜନମାନେ ପ୍ରତିନ୍ଦ୍ୱନ୍ଦିତାର ସୁଯୋଗ ପାଉ ନାହାନ୍ତି।

ବିଜେଡି ରାଜ୍ୟ ସଂପାଦକ ଇଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ କ୍ରିଟ୍‌ ଅଧ୍ୟକ୍ଷ ଅଶୋକ ପାଙ୍ଗୀ, ବିଜେଡି ନେତା ରଘୁରାମ ମାଛ, ରାମଚନ୍ଦ୍ର ମାଝୀ, ଲିଲି ବୁରୁଡି ପ୍ରମୁଖ ନିର୍ବାହୀ ଅଧିକାରୀଙ୍କ ଭେଟି ଚିଠା ତାଲିକାକୁ ତୁରନ୍ତ ବଦଳାଇବା ପାଇଁ ଦାବି କରିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ, ଜିଲ୍ଲା ସଭାପତି ବିଜୟ ମିଶ୍ର, ବିଜୁ ଦଳାଇଙ୍କୁ ନେଇ ଯାଇଥିବା ବିଜେପି ଟିମ୍‌ ସଂରକ୍ଷଣ ତାଲିକାକୁ ସଂଶୋଧନ କରିବା ପାଇଁ ଦାବି କରିଛି। ଏପରିକି ଏହା ନ ବଦଳିଲେ ଉଭୟ ଦଳ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି। ନିର୍ବାହୀ ଅଧିକାରୀ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦେଇଥିଲେ ମଧ୍ୟ ନେତାମାନେ ଏହାକୁ ଗ୍ରହଣ କରି ନାହାନ୍ତି। ଏଥିନେଇ କୋରାପୁଟ ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ, ସରକାରୀ ନିୟମ ଅନୁସାରେ ସଂରକ୍ଷଣ ଚିଠା ତାଲିକା ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳଙ୍କୁ ଏହା ପ୍ରଦାନ କରାଯାଇଥିଲେ ମଧ୍ୟ ଏହା ଚୂଡାନ୍ତ ନୁହେଁ। ଯାହାର ଯାହା ଅଭିଯୋଗ ରହିଛି ସେମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରି ପାରିବେ। ଜିଲ୍ଲାପାଳ ସମସ୍ତ ଆପତ୍ତି ଅଭିଯୋଗ ଶୁଣିବା ପରେ ସଂଶୋଧିତ ସଂରକ୍ଷଣ ତାଲିକା ସରକାରଙ୍କ ପାଖକୁ ପଠାଇବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର