ପଦାକୁ ଆସିଲା ବାବା ଓ ମାତାଙ୍କ ଅସଲ ପରିଚୟ:ଅଭିନେତ୍ରୀ ଶ୍ବେତା ହିଁ ମାତା ମାହେଶ୍ବରୀ

କ୍ୟାସେଟ୍ କଂପାନି ମାଲିକ ବିଶ୍ବମ୍ବର ହେଲେ ବାବା ଅନନ୍ତ

ଜୟପୁର: ଦିନେ ଗ୍ଲାମର ଦୁନିଆରେ ଥିଲେ ବେଶ ଲୋକପ୍ରିୟ ଅଭିନେତ୍ରୀ। ଓଡ଼ିଆ ସହ ତେଲୁଗୁ ସିନେ ଜଗତରେ ଛାଇ ଯାଇଥିଲା ତାଙ୍କ ଅଭିନୟର ଯାଦୁ। ଏକାଧିକ ହିଟ୍ ଓଡ଼ିଆ ଆଲବମ ସଂଗୀତ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ହଠାତ୍ ଦିନେ ନିଜ ଭିତରେ ଆଲୌକିକ ଶକ୍ତିକୁ ଅନୁଭବ କରିବା ପରେ ଦୈବୀବାଣୀ ତାଙ୍କୁ ଟାଣି ଆଣିଲା ଆଧ୍ୟାତ୍ମିକ ଦୁନିଆକୁ। ଦୀର୍ଘ ୧୮ବର୍ଷ ଧରି ବିଶ୍ବଶାନ୍ତି ପାଇଁ ଜାରି ରଖିଛନ୍ତି ଅହରହ ଉଦ୍ୟମ। ସେ ହେଉଛନ୍ତି ଅତୀତର ହିଟ୍ ନାୟିକା ଶ୍ବେତା ମଲ୍ଲିକ ଓରଫ ବର୍ତମାନର ମାତା ମାହେଶ୍ବରୀ।
ବେଶଭୂଷା କୌଣସି ସନ୍ନ୍ୟାସୀଙ୍କ ଭଳି ନୁହେଁ। ପାଟ ଶାଢ଼ୀ ସାଙ୍ଗକୁ ଆଭୁଷଣରେ ନିଜ ଅନୁଗାମୀଙ୍କୁ ଦର୍ଶନ ଦେଉଛନ୍ତି। ସାଥୀରେ ଅଛନ୍ତି କ୍ୟାସେଟ କମ୍ପାନିର ମାଲିକ ବିଶ୍ବମ୍ବର ସାବତ ଓରଫ ଆତ୍ମଘୋଷିତ ବାବା ଅନନ୍ତ କେଶରୀ। ଗତ ୩ଦିନ ଧରି ମାତା ମାହେଶ୍ବରୀ ଓ ବାବା ଅନନ୍ତ କେଶରୀଙ୍କ ତତ୍ତ୍ବାବଧାନରେ ଜୟପୁର ଉପକଣ୍ଠ ସୌରାଗୁଡ଼ାରେ ବିଶ୍ବଶାନ୍ତି ପାଇଁ କଳ୍‌କୀ ମହାଯଜ୍ଞ ଆୟୋଜିତ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଅନୁଗାମୀ ଏଠାରେ ପହଞ୍ଚି ବାବା ଓ ମାତାଙ୍କ ଦର୍ଶନ କରିବା ସହ ମହାଯଜ୍ଞରେ ଭାଗ ନେଇଥିଲେ। ବାବା ସପ୍ତଫେଣି ନାଗର ଆସନ ଉପରେ ଏବଂ ମାତା ପଦ୍ମଫୁଲର ଆସନ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ଏଭଳିକି ଉଭୟେ ଲକ୍ଷ୍ମୀ ନାରାୟଣଙ୍କ ରୂପ ବୋଲି ଧାରଣା ଦେଇଥିଲେ। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଉଭୟେ ବର୍ତ୍ତମାନ ଆସନରେ ନବସି ତଳେ ପଡିଥିବା ଚୌକିରେ ବସୁଥିବା ଦେଖାଦେଇଛି। ମାତାଙ୍କର ବିଭିନ୍ନ ସ୍ଥାନରେ ବିଶ୍ବରୂପର ଫଟୋ ଲାଗିଥିବା ବେଳେ ନିମନ୍ତ୍ରଣ ପତ୍ରରେ ବି ବିଶ୍ବରୂପର ଫଟୋ ଥାଇ ବଣ୍ଟନ କରାଯାଇଛି। ବିଷ୍ଣୁଙ୍କର ବିଶ୍ବରୂପକୁ କଦର୍ଥ କରାଯାଇଥିବା ଏବଂ ଏଥିରେ ମାତାଙ୍କ ଫଟୋ ରହିଥିବା ଯୋଗୁଁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଟିଭି ପରଦା‌ରେ ଅନେକ ଥର ‌େଶ୍ବତା ମଲ୍ଲିକଙ୍କୁ ଦେଖିଥିବା ଦର୍ଶକ ଏଠାରେ ଅତି ନିକଟରୁ ଦେଖିବା ସତ୍ତ୍ବେ ମାତା ମାହେଶ୍ବରୀଙ୍କୁ ଶ୍ବେତା ବୋଲି ଚିହ୍ନ ପାରି ନଥିଲେ। ଅନୁସନ୍ଧାନ ପରେ ମାତା ମାହେଶ୍ବରୀଙ୍କ ପୁରୁଣା ପରିଚୟ ଅଭିନେତ୍ରୀ ଶ୍ବେତା ମଲ୍ଲିକ ବୋଲି ଜଣାପଡ଼ିଥିଲା। ଗତ ୧୦ତାରିଖ ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହାଥିଲା ଭୁବନେଶ୍ବର ପାତ୍ରପଡା ସ୍ଥିତ ଶିବଶକ୍ତି ଧାମ ପକ୍ଷରୁ ୨୬ତମ ମହାଯଜ୍ଞ। ଆଗମୀ ଦିନରେ ୨୭ତମ ମହାଯଜ୍ଞ ଶ୍ରୀଲଙ୍କାରେ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।
ଗ୍ଲାମର ଜଗତରୁ ଆଧ୍ୟାତ୍ମକ ଦୁନିଆକୁ ଯାତ୍ରା ସଂପର୍କରେ ମାତା ମାହେଶ୍ବରୀଙ୍କୁ ପଚାରିବାରୁ ରହସ୍ୟ ଉପରୁ ଉଠାଇଥିଲେ ପରଦା। ଓଡ଼ିଆ ସିନେମା କୃଷ୍ଣା କାବେରୀ (୧୯୯୯), ଧର୍ମ ନିକିତି(୧୯୯୯), ସୁହାଗ ସିନ୍ଦୁର(୧୯୯୬) ସହ ୭ଟି ଓଡ଼ିଶା ଫିଲ୍ମ, ୨ଟି ତେଲଗୁ ସିନେମା ମଧ୍ୟାରୁ ପ୍ରେମ ସାକ୍ଷସୀ (୧୯୯୯) ଓ ଏକାଧିକ ବେଙ୍ଗଳା ସିନେମା ସହ ୧୦ରୁ ଅଧିକ ଟେଲି ଧାରାବାହିକରେ ଅଭିନୟ କରିଥିବା କହିଛନ୍ତି। ତେଣୁ ଗ୍ଲାମର ଦୁନିଆ ଛାଡ଼ିବା ସେତେଟା ସହଜ ନଥିଲା। ତେବେ କିଛି ଦୈବୀଶକ୍ତି ଯୋଗୁଁ ସେ ଆଧ୍ୟାତ୍ମିକ ଦୁନିଆରେ ପାଦ ଦେଇଛନ୍ତି। ୨୦୦୦ ମସିହାରେ ତାଙ୍କ ମନରେ ଚେତନା ଜାଗ୍ରତ ହେଲା। ସାରା ସଂସାରର ମା’ ବୋଲି ନିଜକୁ ଅନୁଭବ କଲେ। ସଂସାର ପାଇଁ କିଛି କରିବାକୁ ନିଷ୍ପତ୍ତି ନେଲେ। ଏହାପରେ ବିଶ୍ବଶାନ୍ତି ପାଇଁ ପ୍ରୟାସ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମହାଯଜ୍ଞର ଆୟୋଜନ କରି ଆସୁଛନ୍ତି। ଇତି ମଧ୍ୟରେ ବହୁ ସଂଖ୍ୟାରେ ଅନୁଗାମୀ ତାଙ୍କ ସହ ଯୋଡ଼ି ହୋଇଛନ୍ତି। ଜୟପୁର ସୌରାଗୁଡ଼ା ପୂର୍ବରୁ କାକଟପୁର, କଟକ ଗାଦି ଗୋସାଇଁପୀଠ, ଚୌଷଠୀ ଯୋଗିନୀ ପୀଠ ହୀରାପୁର, ଆସ୍କା, ବ୍ରହ୍ମପୁର, ଜଗସିଂହପୁର, ନନ୍ଦପୁର, ପାରଳାଖେମୁଣ୍ଡି, ବିନିକା, ଧର୍ମଗଡ, ଦେଓଭୋଗ, ଫରଙ୍ଗ, ଅସୁରଗଡ, ଖଣ୍ଡଗିରି, ପୁରୀ, ପାତ୍ରପଡା, ଛତିଆ, ସୁନାବେଡ଼ା, କୋରାପୁଟ, କୋଣାର୍କ, କାଳିଆବୋଦ, କରମଳା, ସିଙ୍ଗଡା ଓ ନେପାଳର କାଠମାଣ୍ଡୁ ସ୍ଥିତ ଭକ୍ତିପୁରାରେ ମହାଯଜ୍ଞ ଆୟୋଜନ କରିଥିବା ଏଠାରେ କହିଛନ୍ତି।
ଜଣେ ଅଭିନେତ୍ରୀରୁ ମାତା ହେବା ପର୍ଯ୍ୟନ୍ତ ଯାତ୍ରା ସ୍ଥାନୀୟ ଲୋକଙ୍କୁ ଚକିତ କରିବା ସହ କୌତୁହଳ ସୃଷ୍ଟି କରିଛି। ଏହା ପୂର୍ବରୁ ବି ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ଶ୍ରୀରାମ ପଣ୍ଡା ମଧ୍ୟ ଆଧ୍ୟାତ୍ମିକ ପଥକୁ ଅନୁସରଣ କରି ବାବା ନିତ୍ୟଚୈତନ୍ୟ ରୂପେ ସନ୍ନ୍ୟାସୀ ଜୀବନ ବିତାଉଛନ୍ତି।

ସମ୍ବନ୍ଧିତ ଖବର