ଡକାୟତି ଯୋଜନା ପଣ୍ଡ, ୩ ଗିରଫ

ଜୟପୁର:ଜୟପୁର ଟାଉନ ପୁଲିସର ନାଇଟ ଅପରେସନ ସମୟରେ ଗତକାଲି ଡକାୟତି ପାଇଁ ଯୋଜନା କରୁଥିବା ନେଇ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜୟନଗର ସ୍ଥିତ ଭୂତନାଥ ମନ୍ଦିର ନିକଟରେ ୫ଜଣ ଦୁର୍ବୃତ୍ତ ଡକାୟତ କରିବା ପାଇଁ ଯୋଜନା କରୁଥିଲେ। ପୁଲିସ ୩ ଜଣ ଅଭିଯୁକ୍ତକୁ କାବୁ କରିଥିବା ବେଳେ ୨ଜଣ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ହେଲେ ଛୋଟାଗୁଡା ଅଞ୍ଚଳର ଗୁପ୍ତ ଦାସ, ଇରିଗେସନ କଲୋନି ଅଞ୍ଚଳର ଅଜୟ ଖରା ଓ ଦଶମନ୍ତପୁର ଥାନ ଅର୍ନ୍ତଗତ ଗିର୍ଲିଗୁମା ଅଞ୍ଚଳର କୈଳାସ ଚେଟୀ। ଘଟଣାସ୍ଥଳରୁ ପୁଲିସ ଲୁହା ରଡ୍‌, ଛୁରି, ବାଉଁଶ ଠେଙ୍ଗା, ମୁଖା ଆଦି ଜବତ କରିଥିବା ନେଇ ତଦନ୍ତ ଅଧିକାରୀ ଏସ୍‌ଆଇ ସୀମା ସଙ୍ଗୀତା ଲୁଗୁନ କହିଛନ୍ତି।

ପୁଲିସ କହିବାନୁଯାୟୀ ଗତକାଲି ରାତି ସାଢ଼େ ତିନିଟାରେ ସ୍ଥାନୀୟ ଜୟନଗର ସ୍ଥିତ ଭୂତନାଥ ମନ୍ଦିର ପଛପଟେ ଦୁର୍ବୃତ୍ତ ବସିଥିବା ଖବର ମିଳିଥିଲା। ଏସ୍‌.ଆଇ ଶିବ ଶଙ୍କର ସାହୁ ଏବଂ ପାଟ୍ରୋଲିଂ କରୁିଥିବା ପୁଲିସ କର୍ମଚାରୀ ଘଟଣା ସ୍ଥଳାରେ ପହଞ୍ଚିଥିଲେ। ଜୟନଗର ଅଞ୍ଚଳରେ ବଡ ଧରଣର ଡକାୟତି କରିବା ପାଇଁ ଏଠାରେ ଯୋଜନା ଚାଲିଥିଲା। ପୁଲିସ ଟିମ୍‌ ଦୁର୍ବୃତ୍ତଙ୍କୁ ଘେରିଯାଇ ୩ ଜଣକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ୨ଜଣ ଖସି ପଳାଇଥିଲେ। ଏନେଇ ଜୟପୁର ଟାଉନ ଥାନାରେ ୧୭୨/୧୮ ନମ୍ବର ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର