ଭିଜିଲାନ୍ସ ଜାଲରେ କୋଟିପତି ଆର୍‌ଡବ୍ଲୁ ନିର୍ବାହୀ ଯନ୍ତ୍ରୀ

କଟକ/ଜୟପୁର : ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ନିର୍ବାହୀ ଯନ୍ତ୍ରୀ ଧରାପଡ଼ିଛନ୍ତି। କୋରାପୁଟ ଜୟପୁରସ୍ଥିତ ଆର୍‌ଡବ୍ଲୁ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ଭୋଳଙ୍କ ବିିଭିନ୍ନ ସମ୍ପତ୍ତି ଯାଞ୍ଚ କରିବା ପରେ ଏହି ସତ୍ୟତା ଜଣାପଡ଼ିଛି। ୩କୋଟି ୬୪ଲକ୍ଷ ୪୨ ହଜାର ୮୧୪ ଟଙ୍କାର ସମ୍ପତ୍ତିକୁ କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଠାବ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ସମ୍ପତ୍ତି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଆଜି ମିଳିତ ଭାବେ ୮ଟି ସ୍ଥାନରେ ଚଢଉ କରାଯାଇଥିଲା।

ଶିବ ପ୍ରସାଦଙ୍କ ଭୁବନେଶ୍ୱର ବଡ଼ଗଡସ୍ଥିତ ସରକାରୀ ବାସଭବନ, ଲକ୍ଷ୍ମୀସାଗରସ୍ଥିତ ୪ମହଲା ଘର, ପୁରୀ ଗୋପ୍‌ରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଶୁଭପ୍ରଭା କଲ୍ୟାଣ ମଣ୍ଡପ, ଗୋପ୍‌ ଓଡମ୍ବା ସ୍ଥିତ ପୈତୃକ ଘର ଓ ନିଜ ଘର, ଜୟପୁରସ୍ଥିତ କାର୍ଯ୍ୟାଳୟ, ଜୟପୁର ଆର୍‌ଆଣ୍ଡବି କଲୋନୀସ୍ଥିତ କ୍ୱାର୍ଟର, ମେସର୍ସ ସ୍ୱସ୍ତି ଆର୍କିଟେକ୍‌ ଆଣ୍ଡ୍‌ ଇଞ୍ଜିନିୟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟରେ ଚଢଉ କରାଯାଇଥିଲା। ଚଢଉ ବେଳେ ବେଆଇନ୍‌ ଭାବେ ଆୟ ଟଙ୍କା ଜରିଆରେ ଶିବ ପ୍ରସାଦ ଏକ ଘରୋଇ କମ୍ପାନି ଆରମ୍ଭ କରିଥିବା ଜଣାପଡିଥିଲା। ଭୁବନେଶ୍ୱରଠାରେ ମେସର୍ସ ସ୍ୱସ୍ତି ଆର୍କିଟେକ୍‌ ଆଣ୍ଡ୍‌ ଇଞ୍ଜିନିୟର୍ସ ନାମରେ କମ୍ପାନି ଖୋଲାଯାଇଥିଲା ବେଳେ ତାଙ୍କ ପତ୍ନୀଙ୍କୁ ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ରଖିଥିଲେ। ଏହାଛଡ଼ା ଭୁବନେଶ୍ୱର ମୌଜାରେ ଉକ୍ତ କମ୍ପାନି ନାମରେ ବହୁ ସଂଖ୍ୟାରେ ପ୍ଲଟ୍‌ କିଣାଯାଇଥିବା ମଧ୍ୟ ଜଣାପଡ଼ିଛି। ଲକ୍ଷ୍ମୀସାଗରସ୍ଥିତ ୪ମହଲା ଆପାର୍ଟମେଣ୍ଟର ମୂଲ୍ୟ ୨କୋଟି ୪ଲକ୍ଷ ୬୧ହଜାର ୨୦୦ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗୋପ୍‌ସ୍ଥିତ ୩୮ଲକ୍ଷ ୪୮୫୦୦ ଟଙ୍କାର କଲ୍ୟାଣ ମଣ୍ଡପ, ୭ଲକ୍ଷ ୪୭ହଜାର ଟଙ୍କାର ଘର, ୭୪ ଲକ୍ଷ ୮୪୧୮୯ ଟଙ୍କାର ଭୁବନେଶ୍ୱର, ବାଲିଅନ୍ତା ଓ ପିପିଲିଠାରେ ଥିବା ପ୍ଲଟ୍‌, ୬୩୧୬୦ ଟଙ୍କା, ୨ଲକ୍ଷ ୪୩ ହଜାର ଟଙ୍କାର ସୁନା ଗହଣା, ୧୧ଲକ୍ଷ ୪୩ ହଜାର ଟଙ୍କାର ଘରୋଇ ଉପକରଣ, ୧୪ଲକ୍ଷ ଟଙ୍କାର ଦୁଇଟି କାର୍‌, ୧ଲକ୍ଷ ୩ହଜାର ଟଙ୍କାର ଦୁଇଟି ବାଇକ୍‌, ୨ଲକ୍ଷ ଟଙ୍କାର ଏଲ୍‌ଆଇସି ପଲିସି, ୭ଲକ୍ଷ ୪୮୮୦୧ ଟଙ୍କାର ବ୍ୟାଙ୍କ ଜମାକୁ ଭିଜିଲାନ୍ସ ଠାବ କରିପାରିଛି। ଏଥିସହିତ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର