କୋରାପୁଟରେ ମାଳ ମାଳ ସେଲଟର ହୋମ୍:ଚେତିଲା ପ୍ରଶାସନ, ଯାଞ୍ଚ ଆରମ୍ଭ

ଜୟପୁର: ଢେଙ୍କାନାଳସ୍ଥିତ ଗୁଡ଼୍ ନିୟୁଜ ଇଣ୍ଡିଆ ସେଲଟର ହୋମର କେଳେଙ୍କାରୀ ପଦାରେ ପଡିବା ପରେ ଏବେ ଚେତିଛି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ସେଲଟର ହୋମର କାର୍ଯ୍ୟକାରିତା ଏବଂ ସେମାନଙ୍କ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଜୟପୁର ଉପଖଣ୍ଡ ଅନ୍ତର୍ଗତ ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା ଓ କୋଟପାଡ ଅଞ୍ଚଳରେ ଥିବା ସେଲଟର ହୋମକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କୋରାପୁଟ ଜିଲ୍ଲାରେ ୧୯ଟି ସେଲଟର ହୋମ ରହିଥିବା ବେଳେ ବୈପାରିଗୁଡା ବ୍ଲକ ହାଟପଦାରେ ଡ୍ରିମ ହୋମ, ରାମଗିରିର ବେଲସିଙ୍ଗ ଚିଲଡ୍ରେନ ହୋମ, ସେମିଳିଗୁଡାର ଇଷ୍ଟର ଗାର୍ଲସ ହୋମ, ଜୟପୁର ସୌରାଗୁଡାରେ ଦି ଲାଇଫ ଫାଉଣ୍ଡେସନ ଚିଲଡ୍ରେନ ହୋମ, କୋରାପୁଟ ବ୍ଲକ ବାଗ୍ରାଗୁଡାର ତାରିଟିଜ୍ ଆଉଟରେଚ୍, ଡୁମୁରିପୁଟ ନିକଟ ନିଘାମାନିଗୁଡାରେ ସଲାମ ଚିଲଡ୍ରେନ ହୋମ, କୋରାପୁଟ ବ୍ଲକ ମସ୍ତିପୁଟ ଜାକବସ ୱେଲ କେୟାର ସେଣ୍ଟର, କୋରାପୁଟ ମିସିନାରିଜ ଅଫ ଚାରିଟିଜ୍, ଗାନ୍ଧିନଗର ସର୍ବୋଦୟ ସମିତି, ଛପର ଆସ୍ଥା ଚିଲଡ୍ରେନ ହୋମ, ପୁରୁଣା କୋରାପୁଟ ଫାଦର୍ସ ହୋମ, ବନ୍ଧୁଗାଁ ବ୍ଲକ ଆଲମଣ୍ଡାରେ ଜଗନ୍ନାଥ ବାଳାଶ୍ରମ, ଦଶମନ୍ତପୁର ଆଡିଏସ, ଲମତାପୁଟର ଜୀବନଜ୍ୟୋତି ବଳାକ ଛାତ୍ରବାସ, ବୋରିଗୁମ୍ମା ଉଇନ ଇଣ୍ଡିଆ ମିଶନ, ଦାମନଯୋଡି ନିକଟ ଭେଗାପୁଟରେ ରଙ୍ଗଲାଣ୍ଡ କେୟାର ସେଣ୍ଟର ରହିଛି।

କୋରାପୁଟ ଜିଲ୍ଲାର ଏହି ସେଲଟର ହୋମକୁ କେତେ ବିଦେଶୀ ଆସିଛନ୍ତି? ସେମାନଙ୍କ ସହ କେନ୍ଦ୍ରର ସମ୍ପର୍କ କ’ଣ ଓ କେଉଁ ପରିସ୍ଥିତିରେ ଅନ୍ତେବାସୀ ରହୁଛନ୍ତି ତାହାର ଟିକିନିଖି ତଦନ୍ତ କରିଛନ୍ତି ଉପଜିଲ୍ଲାପାଳ ଲୋକନାଥ ଦଳବେହେରା। ଏହାସହ ସେ ସଂସ୍ଥାର ଲାଇସେନ୍ସର ଅନୁଧ୍ୟାନ କରିଛନ୍ତି । ଏହାସହ ଏହି ସଂସ୍ଥାରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ବା ଚାଲାଣ, ଧର୍ମ ପରିବର୍ତ୍ତନ ଭଳି କାର୍ଯ୍ୟ କରାଯାଉଛି ନା ନାହିଁ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି। ଏଭଳିକି ବିଭିନ୍ନ ଦିଗକୁ ନେଇ ଉପଜିଲ୍ଲାପାଳ ସଂପୃକ୍ତ ସଂସ୍ଥାକୁ ତଥ୍ୟ ମାଗିଥିବା ଜଣାଯାଇଛି ।
ଏ ନେଇ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି ଆଶ୍ରମ ସ୍କୁଲରେ ଶିଶୁଙ୍କୁ ଉଚିତ ଶିକ୍ଷା ସହ ଖାଦ୍ୟ ଦିଆଯାଉଛି କି ନାହିଁ ଏହାର ତଦରଖ ପାଇଁ ବୈପାରିଗୁଡା ବ୍ଲକର ବ୍ଲେସିଙ୍ଗ ହୋମ୍, ଦୋରାଗୁଡା ଆଶ୍ରମ ସ୍କୁଲ ସହ ଜୟପୁର ସୌରାଗୁଡା ଲାଇଫ୍ ଫାଉଣ୍ଡେସନ୍ ଓ ବୋରିଗୁମ୍ମା ଉଇନ ଇଣ୍ଡିଆ ମିଶନକୁ ବୁଲି ଅନୁଧ୍ୟାନ କରିଛନ୍ତି । ଏଥିସହ ସେମାନଙ୍କ ଗତିବିଧି ଓ ବିଦେଶୀ ପର୍ଯ୍ୟଟକ କିମ୍ବା ଆଗନ୍ତୁକଙ୍କ ସଂପର୍କରେ ତଥ୍ୟ ମାଗାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର