ଦାନା ବାନ୍ଧୁଛି ବାତ୍ୟା! ଦକ୍ଷିଣ ଓଡ଼ିଶାରେ ପଡିପାରେ ପ୍ରଭାବ

ଜୟପୁର: ଓଡ଼ିଶା ପ୍ରବଳ ଖରାରେ ଜଳୁଛି। ଏହାର ପ୍ରଭାବ ଖାସ୍ କରି ଦକ୍ଷିଣ ଓଡିଶାରେ ବେଶି ଦେଖିବାକୁ ମିଳୁଛି। ଏପରି ସମୟରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଏବଂ ଭାରତ ମହାସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଏବେ ଶ୍ରୀଲଙ୍କାର ଦକ୍ଷିଣରେ ୱେଲମାର୍କ ସ୍ଥିତିରେ ଥିବାବେଳେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଏପରିକି ଲଘୁଚାପ ବାତ୍ୟାର ରୂପ ନେଲେ ବି ଏହାର ପ୍ରଭାବ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିପାରେ। ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଲଘୁଚାପ ଏବେ ସୁଦ୍ଧା ବାତ୍ୟାର ରୂପ ନେଇନି।

ଏହା ବାତ୍ୟାର ରୂପ ନେଲେ ଏପ୍ରିଲ ୨୯ରୁ ୩୦ତାରିଖ ଭିତରେ ତାମିଲନାଡୁ ଉପକୂଳରେ ବର୍ଷା ହେବ। ଏହା ଯଦି ପଶ୍ଚିମ ଦିଗରେ ଗତି କରିବ ତେବେ ତାମିଲନାଡୁରେ ମାଡ଼ ହେବ। ଉତ୍ତର ପଶ୍ଚିମ ଦିଗରେ ଗତି କଲେ ବାତ୍ୟାର ପ୍ରଭାବ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପ୍ରଭାବ ପଡ଼ିବ। ତାମିଲନାଡୁରେ ବାତ୍ୟା ମାଡ଼ ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବାର ନାହିଁ। କିନ୍ତୁ ଆନ୍ଧ୍ରପେଦଶ ଉପକୂଳ ଛୁଇଁଲେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ମେ ୪ତାରିଖରେ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶ୍ରୀଲଙ୍କାର ଉତ୍ତର ଦିଗ ଦେଇ ତାମିଲନାଡୁ ଆଡକୁ ଅଗ୍ରସର ହେବ। ଏହା ବାତ୍ୟାର ରୂପ ନେଲେ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଏହାର ପ୍ରଭାବ ପଡ଼ିବ। କିନ୍ତୁ ମେ ଦୁଇ-ତିନି ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ବର୍ଷା ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର