ସୁଙ୍କି ବିସ୍ଫୋରଣକୁ ବର୍ଷେ ପୂରିଲା:କ୍ଷତ ଶୁଖିନି, ଭୟ କମିନି

କୋରାପୁଟ/ପଟାଙ୍ଗୀ: ଠିକ ବର୍ଷକ ତଳେ ଲ୍ୟାଣ୍ଡ ମାଇନ ଲଗାଇ କୋରାପୁଟର ଛାତି ଥରାଇ ଦେଇଥିଲେ ମାଓବାଦୀ। ଏକ ଭୟଙ୍କର ବିସ୍ଫୋରଣରେ ନେଇଥିଲେ ୮ଜଣ ପୁଲିସ କର୍ମଚାରୀଙ୍କ ଜୀବନ। ଫେବ୍ରୁଆରି ପହିଲାରେ କୋରାପୁଟ ଜିଲ୍ଲା ସୁଙ୍କି ଘାଟି ନିକଟ ୨୬ନମ୍ବର ଜାତୀୟ ରାଜପଥ ଉପରେ ମାଓବାଦୀ ଘଟାଇଥିଲେ ଏକ ଜଘନ୍ୟ କାଣ୍ଡ। ଇତି ମଧ୍ୟରେ ଘଟଣାକୁ ବର୍ଷେ ପୂରିଯାଇଛି। ରାଜପଥ ଉପରେ ପିଚୁ ପକାଇ ରାସ୍ତା ସମତଳ କରି ଦିଆଯାଇଥିଲେ ହେଁ, ଜିଲ୍ଲା ପୁଲିସ ବିଭାଗରେ ସୃଷ୍ଟି ହୋଇଥିବା କ୍ଷତ ଏବେ ବି ତାଜା ରହିଛି। ସେହିପରି ମୃତକଙ୍କ ପରିବାର ଆଖିରୁ ଲୁହ ବି ଶୁଖିନି।
କୋରାପୁଟରେ କାର୍ଯ୍ୟରତ ପୁଲିସ ଡ୍ରାଇଭରମାନେ ଅନୁଗୁଳର ପିଟିସିରେ ତାଲିମ ନେବା ପାଇଁ ଗତ ଫେବ୍ରୁଆରି ପହିଲାରେ ବାହାରିଥିଲେ। ୨ତାରିଖରେ ସେମାନେ ତାଲିମ କେନ୍ଦ୍ରରେ ରିପୋର୍ଟିଂ କରିବାର ଥିଲା। ତେଣୁ ଏକ ପୁଲିସ ଭ୍ୟାନ୍‌ରେ ୧୩ଜଣ ଅନୁଗୁଳ ଅଭିମୁଖେ ବାହାରିଥିଲେ। ସେମାନଙ୍କ ମଧ୍ୟରୁ ୧୨ଜଣ ଡ୍ରାଇଭର ଓ ଜଣେ କଂପ୍ୟୁଟର ସହାୟକ ଥିଲେ।

ସାଙ୍ଗରେ ସେମାନଙ୍କ ବ୍ୟାଗ୍‌ ଓ ଅନ୍ୟାନ୍ୟ ବ୍ୟବହାର ସାମଗ୍ରୀ ଥିଲା। ତେବେ ଏହି ଯାତ୍ରା ସେମାନଙ୍କ ପାଇଁ ଥିଲା ଅତି ଭୟଙ୍କର। କୋରାପୁଟର ବାହାରି ପଟାଙ୍ଗୀ ଦେଇ ସୁଙ୍କି ଅତିକ୍ରମ କରିବା ପରେ ସେମାନଙ୍କୁ ଅପେକ୍ଷା କରି ରହିଥିଲା ମୃତ୍ୟୁ ଫାଶ। ଆଉ ଏହି ଏହି ଫାଶରେ ସାଂଘାତିିକ ଭାବେ ଫସି ଯାଇଥିଲେ ଏହି ପୁଲିସ କର୍ମଚାରୀ। ସୁଙ୍କି ଘାଟି ଉପରେ ଭୟଙ୍କର ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରାଇ ନେଇଗଲେ ୮ଜଣ ପୁଲିସ କର୍ମଚାରୀଙ୍କ ଜୀବନ। ସେମାନେ ହେଲେ କୋରାପୁଟ ଜିଲ୍ଲା କୋଟପାଡ ଥାନା ପୋଚିଆ ଗ୍ରାମର ଡ୍ରାଇଭର ହାବିଲଦାର ତୁଳସୀ ମାଝୀ, ପାଡୁଆ ଥାନା କାକୁଆ ଗ୍ରାମର ହାବିଲଦାର ମେଜର ସୋମନାଥ ଶିଶା, କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଗୋବିନ୍ଦପୁରର ଗଣେଶ ପ୍ରସାଦ ସାହା, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଗୋଡିସାହିର ଅରୁଣ କୁମାର ନାୟକ, କଟକ ଜିଲ୍ଲା ନିଆଳି ଥାନା ମାଧବକୁଳ ଗ୍ରାମର ପ୍ରଦୀପ କୁମାର ରାଉତ, କେନ୍ଦୁଝର ପାଟଣା ଥାନା ଚୁଟିଆପଶିର ସଂଜୟ କୁମାର ଦାସ ଓ କେନ୍ଦୁଝର ରାଇଁସୁଆ ଥାନା ବନୁଆ ଗ୍ରାମର ସୁବର୍ଣ୍ଣ କୁମାର ରାଜ। ଏହା ସହିତ ୫ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେଦିନର ବିସ୍ଫୋରଣ ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା। ହତବାକ ହୋଇ ଯାଇଥିଲା ପୁଲିସ। ମାଓବାଦୀ ଏତେ ସହଜରେ ଏତେବଡ ଶିକାର କରିବେ ତାହା ସମସ୍ତଙ୍କ ବିଶ୍ୱାସର ବାହାରେ ଥିଲା। ଏପଟେ ଏହି ଘଟଣା ପରେ ପୁଲିସର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଥିଲା ପ୍ରଶ୍ନ। ଦିନ ସମୟରେ ଏକାବେଳେ ୧୩ଜଣଙ୍କୁ ଗୋଟିଏ ଗାଡିରେ ପଠା ଯାଇଥିଲାବେଳେ ମାଓ ଅଂଚଳରେ ଥିବା ଏସଓପି(ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସେଜ୍ୟୁର) ପାଳନ କରାଯାଇ ନ ଥିଲା। ଗାଡିରେ ଯାଉଥିବା ପୁଲିସ କର୍ମଚାରୀମାନେ ନିରସ୍ତ୍ର ହୋଇଥିଲାବେଳେ ସେମାନଙ୍କ ସାଙ୍ଗରେ ଆରଓପି(ରୋଡ ଓପନିଂ ପାର୍ଟି) କିମ୍ବା ସୁରକ୍ଷା ବଳ ଦିଆ ଯାଇ ନ ଥିଲା।

ଏହି ଅଭିଯୋଗ ଆସିବା ପରେ ତତ୍କାଳୀନ ରିଜର୍ଭ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୋପବନ୍ଧୁ ତ୍ରିପାଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏପଟେ ବିସ୍ଫୋରଣରେ ନିରସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ କର୍ମଚାରୀଙ୍କ ମନୋବଳ ଭାଙ୍ଗି ଯାଇଥିଲା। ଏକା ସାଙ୍ଗରେ ୮ଜଣ ସାଥୀଙ୍କ ମୃତ୍ୟୁକୁ ସେମାନେ ସହଜରେ ବିଶ୍ୱାସ କରି ପାରି ନ ଥିଲେ। ସେଦିନର ସେ ଭୟ ଓ ଆତଙ୍କ ଏବେ ବି କର୍ମଚାରୀଙ୍କ ମନରୁ ଯାଇନି।

ଏହି ବିସ୍ଫୋରଣରେ କିଏ ସ୍ୱାମୀଙ୍କୁ ହରାଇଲା ତ କାହା ଘରୁ ରୋଜଗାରିଆ ପୁଅ ଚାଲିଗଲା। ସେହିପରି କିଛି ପିଲା ସବୁଦିନ ପାଇଁ ବାପ ଛେଉଁଣ୍ଡ ହୋଇଗଲେ। ୮ଟି ପରିବାରରେ ଅପୂରଣୀୟ କ୍ଷତି ଘଟିଲା। ସମସ୍ତଙ୍କ ପରିବାର ସେଦିନର ଘଟଣାକୁ ମନେ ପକାଇ ଏବେ ବି ଭୟରେ ଥରି ଉଠୁଛନ୍ତି। ସରକାରଙ୍କ ପକ୍ଷରୁ ଯାହା କ୍ଷତି ପୂରଣ ମିଳିବା କଥା, ମିଳି ସାରିଛି। କିନ୍ତୁ ପ୍ରକୃତରେ ଯେଉଁ କ୍ଷତି ହୋଇଛି ତାହା ଭରଣା କରିବାର ବାହାନା ଖୋଜୁଛନ୍ତି ସେମାନଙ୍କ ପରିବାର। ତଥାପି ଖାଲି ଖାଲି ଲାଗୁଛି। ହାବିଲଦାର ମେଜର ସୋମନାଥ ଶିଶାଙ୍କ ପତ୍ନୀ କହିଛନ୍ତି ଯେ, ସ୍ୱାମୀ ଚାଲିଗଲା ପରେ ପରିବାର ଖୁବ ଏକଲା ହୋଇ ଯାଇଛି। ଆଖିରୁ ଲୁହ ଏ ପର୍ଯ୍ୟନ୍ତ ଶୁଖୁନି। ସେ ସହିଦ ହୋଇଥିବା କଥା ଏବେ ବି ବିଶ୍ୱାସ କରି ହେଉନି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ଏପଟେ ଅତିରିକ୍ତ ଏସପି ଭି.ଆର. ରାଓ କହିଛନ୍ତି ଯେ, ଏହି ଘଟଣା ପରେ ପୁଲିସ ବିଭାଗ ଅଧିକ ସତର୍କ ହୋଇ ଯାଇଛି। କୁଆଡେ ଟିମ୍‌ ପଠାଇବା ଆଗରୁ ଏସଓପି କଡାକଡି ଭାବେ ପାଳନ କରାଯାଉଛି। କର୍ମଚାରୀଙ୍କ ଜୀବନକୁ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର