ତିତ୍‌ଲି ପ୍ରଭାବରେ ଜିଲ୍ଲା ସାରା ବର୍ଷା

କୋରାପୁଟ: ଘୂର୍ଣ୍ଣିବାତ୍ୟା ତିତ୍‌ଲି କୋରାପୁଟରେ ବିଶେଷ କିଛି କ୍ଷତି ନ କରି ନ ଥିଲା ବେଳେ ବିଭିନ୍ନ ଅଂଚଳରେ ବର୍ଷା ହୋଇଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା ଆଜି ପର୍ଯ୍ୟନ୍ତ ଚାଲିଥିଲା ବେଳେ କୋହଲା ପାଗ ରହିଛି। ତେବେ ଗତକାଲି ପରି ଆଜି ପବନ ନ ଥିବାରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି। ଏପଟେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇ ଯାଇଥିବାରୁ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ନୈରାଶ୍ୟ ପ୍ରକାଶ ପାଇଛି।
ତିତ୍‌ଲି ପ୍ରଭାବରେ ଗତକାଲି ଠାରୁ କୋରାପୁଟରେ ବର୍ଷା ଆରମ୍ଭ ହୋଇଥିଲା। ସକାଳୁ ପବନ ବହିଥିଲା ବେଳେ ପରେ ବର୍ଷାର ପରିମାଣ ବଢିଥିଲା। ରାତିରେ ବି ବର୍ଷା ହୋଇଥିଲା। ଆଜି ପର୍ଯ୍ୟନ୍ତ ହାଲକା ବର୍ଷା ହୋଇଥିଲା ବେଳେ କିଛି ସ୍ଥାନରେ ବର୍ଷାର ପରିମାଣ ଅଧିକ ଥିଲା। ଏହା ସହିତ କୋହଲା ପାଗ ମଧ୍ୟ ହୋଇଥିଲା। ଫଳରେ ସାଧାରଣ ଜୀବନ ଉପରେ ଏହା ପ୍ରଭାବ ପକାଇଥିଲା। ଜରୁରୀ କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ହାରାହାରି ୧୫.୯୮ମିମି ବର୍ଷା ହୋଇଛି। ବନ୍ଧୁଗାଁରେ ୬୬ମିମି, ଲକ୍ଷ୍ମୀପୁରରେ ୩୫ମିମି, ନାରାୟଣପାଟଣାରେ ୩୨ମିମି, କୋରାପୁଟରେ ୧୫.୦ମିମି, ପଟାଙ୍ଗୀରେ ୨୨.୨ମିମି, ସେମିଳିଗୁଡାରେ ୧୮ମିମି, ବୋରିଗୁମ୍ମାରେ ୧୧.୮ମିମି ବର୍ଷା ହୋଇଛି। ଅପରପକ୍ଷରେ କୋଟପାଡ, କୁନ୍ଦୁରା ଓ ବୈପାରିଗୁଡାରେ ବିଲକୁଲ ବର୍ଷା ହୋଇନି। ବର୍ଷା କାରଣରୁ କୋଲାବ ଜଳ ଭଣ୍ଡାର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇ ୮୫୬.୭୪ ମିଟରରେ ପହଞ୍ଚିଛି। ଏଠାରେ ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ ମିଟର ରହିଥିଲା ବେଳେ ଏବେ କୌଣସି ପ୍ରକାର ବିପଦ ନ ଥିବା କୁହାଯାଇଛି।
ତିତ୍‌ଲି ପ୍ରଭାବରେ କୋରାପୁଟରେ କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଯାଇଛି। ପୂଜା ଛୁଟିରେ କେହି ଛୁଟି ନ ନେଇ କାର୍ଯ୍ୟାଳୟ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଜଣାପଡିବା ପରେ କର୍ମଚାରୀଙ୍କ ଭିତରେ ନୈରାଶ୍ୟ ଖେଳି ଯାଇଛି। ପୂଜା ଛୁଟି ପାଇଁ କରିଥିବା ସମସ୍ତ ଯୋଜନା ମାଡ ଖାଇ ଯାଇଥିବା ସେମାନେ କହୁଛନ୍ତି। ଜିଲ୍ଲାରେ ବାତ୍ୟା କିମ୍ବା ବନ୍ୟାର କିଛି ପ୍ରଭାବ ନ ଥିଲେ ମଧ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଥିବାରୁ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର