ପାହାଡ଼ରୁ ମାଟି ଅତଡ଼ା ଖସିଲା: ୨ ଶ୍ରମିକ ମୃତ, ଜେସିବି ଦ୍ୱାରା ୨ଜଣ ଉଦ୍ଧାର

କୋରାପୁଟ: ପାହାଡରୁ ମାଟି ଆଣିବାକୁ ଯାଇଥିବା ୨ଜଣ ଶ୍ରମିକ ଗୁରୁବାର ଅକାଳରେ ଜୀବନ ହାରିଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ଖିଆଲଗୁଡ଼ା ପାହାଡରେ ଏହି ଦୁଃଖଦ ଘଟଣା ଘଟିଛି। ଏହି ଦୁଃଘଟଣାରେ ୪ଜଣ ଶ୍ରମିକ ମାଟି ଭିତରେ ପୋତି ହୋଇ ଯାଇଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି। ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଟି ଭିତରେ ପୋତି ହୋଇଯାଇଥିବା ଶ୍ରମିକମାନଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରିଛନ୍ତି। ସେଥିରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଶ୍ରମିକ ନରେନ୍ଦ୍ର ପାତ୍ର ଓ ହରି କମାରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପାହାଡ଼ରୁ ମାଟି ଆଣିବା ପାଇଁ ଆଜି ସକାଳୁ ଖିଆଲଗୁଡ଼ା ଗ୍ରାମର କିଛି ଶ୍ରମିକ ପାହାଡ଼କୁ ଯାଇଥିଲେ। ଜଣେ ଶ୍ରମିକ ଶାବଳରେ ମାଟି ଖୋଳିବା ସମୟରେ ଅସାବଧାନତା ଯୋଗୁଁ ତଳେ ଛିଡ଼ା ହୋଇଥିବା ୪ଜଣ ଶ୍ରମିକଙ୍କ ଉପରେ ମାଟି ପଡ଼ିଯାଇଥିଲା। ଫଳରେ ସେମାନେ ପୋତି ହୋଇଯାଇଥିଲେ। ଏଥିରେ ଡମୁ ଦାନୀ(୨୭) ଓ ଈଶ୍ୱର ଭୂମିଆ(୨୯)ଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ପାହାଡରୁ ବେଆଇନ ଭାବରେ ମାଟି ଖୋଳା ଚାଲିଛି। ମାଟି ଧସିଥିବା ଖଦାନକୁ ନିଲାମ ଦିଆଯାଇ ନଥିବା ବେଳେ ଏଠାରୁ ବେଆଇନ ଭାବରେ ମାଟି ଚାଲାଣ ହେଉଛି ବୋଲି ବୋରିଗୁମ୍ମା ତହସିଲଦାର ପଞ୍ଚାନନ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର