କୋରାପୁଟ: କାଉପଦର ଆଶ୍ରମ ସ୍କୁଲର ୨ ଛାତ୍ର ମୃତ, କାରଣ ଅସ୍ପଷ୍ଟ

ପଟାଙ୍ଗୀ: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଥାନା ଅନ୍ତର୍ଗତ କାଉପଦର ଆଶ୍ରମ ସ୍କୁଲର ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ସ୍କୁଲର ୨ ଜଣ ୫ମ ଶ୍ରେଣୀର ଛାତ୍ର- କୁନା ଖୋରା ଓ ସୁଭାଷ ଖୋରା ବିଦ୍ୟାଳୟରୁ ନିକଟସ୍ଥ ଜଙ୍ଗଲକୁ କନ୍ଦା କାଟିବାକୁ ଯାଇଥିଲେ। ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟାଳୟକୁ ନଫେରିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଥିଲା। ପରେ ବିଦ୍ୟାଳୟର ଶିକ୍ଷକ, ପିଲାମାନେ ଓ ଅଭିଭାବକମାନେ ଖୋଜି ୨ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଜଙ୍ଗଲ ଭିତରୁ ଉଦ୍ଧାର କରି କୋଟିଆ ପଂଚାୟତର କୁନ୍ଦୁଲିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ୨ ଛାତ୍ରଙ୍କୁ ଭର୍ତ୍ତି କରିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଆଶ୍ରମ ସ୍କୁଲର ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏସଡିପିଓ ନିରଂଜନ ବେହେରାଙ୍କ ଉପସ୍ଥିତିରେ ପଟାଙ୍ଗୀ ପୁଲିସ ଥାନା ୨ ମୃତଦେହକୁ ଜବତ କରିଛି। ରାତି ଯାଏଁ ପୋଷ୍ଟମର୍ଟମ ହେବ ବୋଲି ଆଶା କରାଯାଉଛି।

କାଉପଦର ଆଶ୍ରମ ସ୍କୁଲର ଛାତ୍ରାବାସରେ ପ୍ରାୟ ୧୦୦ ଜଣ ଅନ୍ତେବାସୀ ରୁହନ୍ତି। ବିଦ୍ୟାଳୟକୁ ପାଠ ପଢ଼ିଯାଇଥିବା ବେଳେ ସେମାାନେ କେମିତି ଜଙ୍ଗଲକୁ ଯାଇଥିଲେ ଓ ଏହି ଘଟଣା ସ୍କୁଲର ଶିକ୍ଷକମାନେ ଜାଣି ନପାରିବା ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଦ୍ୟାଳୟର କିଛି ଛାତ୍ର କହୁଛନ୍ତି ଯେ, କୁନା ଓ ସୁଭାଷ ଜଙ୍ଗଲକୁ କନ୍ଦା ସଂଗ୍ରହ କରିବାକୁ ଯାଇଥିଲେ କିନ୍ତୁ କିଛି ଲୋକ କହୁଛନ୍ତି ବାରାହା ପାଇଁ ଲଗାଯାଇଥିବା ଫାଶରେ ପଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ କହିଛି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ।

ସମ୍ବନ୍ଧିତ ଖବର