ବୁଡ଼ି ଯାଉଥିବା ବ୍ୟକ୍ତିକୁ ବଞ୍ଚାଇଲେ ମାମୁ, ଭଣଜା

ଜୟପୁର: ପାଣିରେ ବୁଡ଼ି ଉବୁଟୁବୁ ହେଉଥିଲେ। କିନ୍ତୁ କୂଳରେ ରହି ଗାଧୋଉଥିବା ଲୋକେ ବଞ୍ଚାଇବା ପାଇଁ ସାହସ ଜୁଟାଇ ପାରିନଥିଲେ। ତେବେ ସୌଭାଗ୍ୟ ବଶତଃ ପୋଖରୀ ଠାରୁ ଅଳ୍ପ ଦୂରରେ ଥିବା ମାମୁ, ଭଣଜାଙ୍କ ନରଜ ପଡ଼ିଥିଲା। ଖାତିର ନକରି ପାଣିକୁ ଡେଇଁ ପଡ଼ିଥିଲେ। ପହଁରି ପହଁରି ପୋଖରୀ ମଝିରୁ ବୁଡ଼ି ଯାଉଥିବା ଲୋକକୁ ବାହାର କରି ପୋଖରୀ ହୁଡାକୁ ଆଣିଥିଲେ। ଯାହାଫଳରେ ବର୍ତି ଯାଇଥିଲେ ପାଣିରେ ବୁଡ଼ି ଯାଉଥିବା ଲୋକ। ହେଲେ ଅଚେତ ରହିଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଲିମା ଗ୍ରାମରେ ଏମିତି ଏକ ଘଟଣା ଆଜି ସକାଳେ ଘଟିଛି। ପାଣିରେ ବୁଡ଼ି ଯାଉଥିବା ଲିମା ଗ୍ରାମର ଟଙ୍କ ପାଇକଙ୍କୁ ସେହି ଗ୍ରାମର ବଦ୍ରି ନାରାୟଣ ଆଚାର୍ଯ୍ୟ ଓ ତାଙ୍କ ଭଣଜା ସାନୁ ତ୍ରିପାଠୀ ଉଦ୍ଧାର କରିଛନ୍ତି। ଟଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।
ସୂଚନାଯୋଗ୍ୟ, ଆଜି ଦିନ ୧୨ଟାରେ ଟଙ୍କ ପାଇକ ଗାଧୋଇବା ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟର ପୋଖରୀକୁ ଯାଇଥିଲେ। ପୋଖରୀରେ ଥିବା ପଙ୍କରେ ଫସି ଯାଇ ବାହାରକୁ ବାହାରି ପାରି ନଥିଲେ। ସେହି ସମୟରେ ନିକଟରେ ଗାଧୋଉଥିବା କିଛି ଲୋକ ଏହି ଦୃଶ୍ୟ ଦେଖି ଉଦ୍ଧାର କରିବାକୁ ସାହସ ଜୁଟାଇ ପାରି ନଥିଲେ। ବଞ୍ଚାଇବା ପାଇଁ କେବଳ ଚିତ୍କାର କରିଥିଲେ। ଟଙ୍କ ବୁଡି ଯାଉଥିବା ଦେଖି ମାମୁ ବଦ୍ରି ନାରାୟଣ ଓ ଭଣଜା ସାନୁ କିଛି ନଭାବି ପାଣି ଭିତରକୁ ଡେଇଁ ପଡିଥିଲେ। ଖୋଜାଖୋଜି କରିବା ପରେ ପଙ୍କ ମଧ୍ୟରୁ ଟଙ୍କକୁ ଉଦ୍ଧାର କରିଥିଲେ। ଏହାପରେ ପୋଖରୀ ତୁଠକୁ ଆଣି ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟଙ୍କ ଅଚେତ ଅବସ୍ଥାରୁ ନଫେରିବାରୁ ଆମ୍ବୁୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍‌ସ ଆସିନଥିଲା। ତେଣୁ ସାନୁ ନିଜ କାରରେ ଟଙ୍କକୁ କୁନ୍ଦୁରା ମେଡିକାଲକୁ ନେଇ ଚିକିତ୍ସା କରିଥିଲେ। ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ସେଠାରୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଟଙ୍କ ପାଇକଙ୍କ ଚିକିତ୍ସା ଜାରି ରହିଥିଲା।

ସମ୍ବନ୍ଧିତ ଖବର