୭ଦଫା ଦାବିରେ ବେକାର ଯୁବକ ସଂଘର ବନ୍ଦ ପାଳନ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ମାଛକୁଣ୍ଡ ବେକାରୀ ଯୁବକ ସଂଘର ଡାକରାକ୍ରମେ ୭ଦଫା ଦାବି ନେଇ ଗତକାଲି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବାରୁ ଗାଡି ଚଳାଚଳ ବନ୍ଦ ରହିଥିଲା। ଯାହାଫଳରେ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା। ଆନ୍ଦୋଳନକାରୀ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ନିକଟରେ ଟାୟାର ଜାଳି ଆନ୍ଦୋଳନ କରିଥିବାରୁ ଅନକାଡେଲିକୁ ଯାତାୟାତ ଠପ୍‌ ହୋଇଯାଇଥିଲା। ମାଛକୁଣ୍ଡ ଓ ଅନକାଡେଲି ଠାରୁ ପ୍ରକଳ୍ପ କର୍ମଚାରୀଙ୍କୁ ପ୍ଲାଣ୍ଟକୁ ଯିବା ପାଇଁ ମଧ୍ୟ ଛାଡି ନଥିଲେ। ଆନ୍ଦୋଳନକାରୀ ଦୀର୍ଘ ଦିନ ହେଲା ୭ଦଫା ଦାବି କରି ଆସୁଥିଲେ ହେଁ ପ୍ରକଳ୍ପ କର୍ତ୍ତୃପକ୍ଷ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିନଥିଲେ। ତେବେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ସେଠାକୁ ଯାଇ ଆଲୋଚନା କରିିବା ସହ ଆନ୍ଦୋଳନକୁ ସମର୍ଥନ କରିଥିଲେ।

ସେହିପରି ଶିକ୍ଷକ ଏବଂ ଲମତାପୁଟ ବିଜେଡି କର୍ମୀ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ତେବେ ଆନ୍ଧ୍ର କିମ୍ବା ଓଡିଶାର ପ୍ରକଳ୍ପ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିନଥିବାରୁ ଏହାର ପ୍ରତିବାଦ ସ୍ୱରୂପ ଗତକାଲି ବନ୍ଦ ଡାକରା ଦିଆଯାଇଥିଲା। ସ୍ଥାନୀୟ ଜନସାଧାରଣ ମଧ୍ୟ ସହଯୋଗ କରିବାରୁ ବନ୍ଦ ଶାନ୍ତିପୂର୍ଣ୍ଣ ହୋଇଥିଲା। ସୂଚନାଥାଉକି, ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି, ଅନକାଡେଲି ଠାରେ ପାନୀୟ ଜଳ ସୁବିଧା, ଖେଳ ପଡିଆ ନିର୍ମାଣ, ଅନକାଡେଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଅନକାଡେଲି ଠାରୁ ମାଛକୁଣ୍ଡ ରାସ୍ତା ନିର୍ମାଣ ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଦାବି ରହିଛି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବରେ ଆନ୍ଧ୍ର ଅଧୀନରେ ରହିଥିବାରୁ ଏଠାରେ ଓଡିଆ ଲୋକଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ତେଣୁ ପ୍ରକଳ୍ପ ଅଧିକାରୀ ଆଲୋଚନା ପାଇଁ ଆସୁନଥିବା କୁହାଯାଇଛି। ଯଦି ଆଗାମୀ ଦିନରେ ଉପରୋକ୍ତ ଦାବି ପୂରଣ ନହୁଏ ତାହାହେଲେ ସଂଘ ତରଫରୁ ଜଳ ବିଦ୍ୟୁତ ପ୍ରକଳ୍ପକୁ ଅଚଳ କରାଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର