ୟୁନିଅନ ବ୍ୟାଙ୍କରେ ୨କୋଟିର ଜାଲିଆତି: ପୂର୍ବତନ ଶାଖା ପରିଚାଳକଙ୍କ ବିରୋଧରେ ମାମଲା

କୋରାପୁଟ: ୟୁନିଅନ ବ୍ୟାଙ୍କର କୋରାପୁଟ ଶାଖାରେ ୨କୋଟି ୫ଲକ୍ଷ ୫୦ହଜାର ଟଙ୍କା ଜାଲିଆତି କରି ଠକି ନିଆଯାଇଛି। କୌଣସି ସାଧାରଣ ଲୋକ ଏହା କରି ନାହାନ୍ତି। ବରଂ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଅମ୍ବ୍ରିତା ପ୍ରିୟଦର୍ଶିନୀ ପାତ୍ର ଏହି ଠକେଇ କରିଛନ୍ତି। ଏଥିନେଇ ଆଜି ୟୁନିଅନ ବ୍ୟାଙ୍କର ଆଂଚଳିକ ମୁଖ୍ୟ ସୁଶାନ୍ତ କୁମାର ମିଶ୍ର କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି।
କୋରାପୁଟ ସ୍ଥିତ ୟୁନିଅନ ବ୍ୟାଙ୍କ ଶାଖାରେ ପୂର୍ବରୁ ଅମ୍ବ୍ରିତା ପ୍ରିୟଦର୍ଶିନୀ ପାତ୍ର ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ବ୍ୟାଙ୍କରେ ବହୁ ଜାଲିଆତି କରିଥିଲେ। ବିଭିନ୍ନ ଲୋକଙ୍କ ବ୍ୟାଙ୍କରେ ଥିବା ସ୍ଥାୟୀ ଜମାକୁ ମଡଗେଜ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଋଣ ଆକାରରେ ନେଇ ଯାଇଥିଲେ। ପୁଣି ନିଜ ମା’ ଓ ଭଉଣୀଙ୍କ ନାମରେ ୩୫ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଅଳ୍ପ କିଛି ମଡଗେଜ ଦେଖାଇ ବେଆଇନ ଭାବେ ଏହି ଟଙ୍କା ଋଣ କରିଥିଲେ। ବେଆଇନ ଭାବେ ଏମିତି ସେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ଅଡିଟ କରାଯାଇଥିଲା। ଏଥିରେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା। ମୋଟ ୨ କୋଟି ୫ ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିବା ଅଡିଟରୁ ଜଣାପଡିଥିଲା।

ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ବିଭାଗୀୟ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ଏପଟେ ଆଜି ବ୍ୟାଙ୍କର ଆଂଚଳିକ ମୁଖ୍ୟ ସୁଶାନ୍ତ କୁମାର ମିଶ୍ର କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଅମ୍ବ୍ରିତା ପ୍ରିୟଦର୍ଶିନୀ ପାତ୍ର, ତାଙ୍କ ବାପା, ମା’ ଏବଂ ଭଉଣୀଙ୍କ ନାମରେ ମାମଲା ଦାୟର ହୋଇଛି। ଏଥିନେଇ ତଦନ୍ତକାରୀ ଅଧିକାରୀ ଥିବା ସବ ଇନ୍ସପେକ୍ଟର ରମେଶ କୁମାର ଦେବତା କହିଛନ୍ତି ଯେ, ଅଭିଯୋଗ ଆଧାରରେ ୧୩୦/୧୮ରେ ମାମଲା ରୁଜୁ ହୋଇଛି। ତଦନ୍ତ ଆରମ୍ଭ ହୋଇଛି ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର