ଚିକିତ୍ସାକୁ ନେଇ ଗଣ୍ଡଗୋଳ:ଡାକ୍ତର ଓ ପାଥୋଲୋଜିଷ୍ଟଙ୍କ ନାମରେ ଏତଲା

ଜୟପୁର: ଜଣେ ରୋଗୀଙ୍କ ଚିକିତ୍ସାକୁ କେନ୍ଦ୍ର କରି ଡାକ୍ତର ଓ ପାଥୋଲୋଜିଷ୍ଟ ମୁହାମୁହିଁ ହୋଇଛନ୍ତି। କେହି କାହାର ରିପୋର୍ଟକୁ ବୁଝି ନପାରି ପରସ୍ପରକୁ ଦୋଷ ଦେଇ ମରାପିଟ ପର୍ଯ୍ୟନ୍ତ କଥା ଯାଇଛି। ଏଥିରେ ରୋଗୀ ଓ ତାଙ୍କର ପରିବାର ବର୍ଗ ହନ୍ତସନ୍ତ ହୋଇଛନ୍ତି। ଉଭୟ ପକ୍ଷରୁ ଅଭିଯୋଗ କ୍ରମେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟାରାୟ କହିଛନ୍ତି। ଏଥିସହ ଡାକ୍ତରଙ୍କୁ ପ୍ରମାଣପତ୍ର ଓ ପାଥୋଲୋଜିଷ୍ଟଙ୍କୁ ତାଙ୍କର ପାଥୋଲୋଜି ଲ୍ୟାବ୍‌ ଲାଇସେନ୍ସକୁ ଆଣିବାକୁ କୁହାଯାଇଛି। ଉଭୟଙ୍କୁ ଡାକି ପଚାରଉଚରା କରଯାଉଥିବା ପ୍ରକାଶ କରିଛନ୍ତି।
ପୁଲିସ କହିବାନୁଯାୟୀ, ସ୍ଥାନୀୟ କେବିଏସ୍‌ଡି ରୋଡରେ ରହୁଥିବା ମହମ୍ମଦ ଇମତିଆଜ ଅଲ୍ଲୀ ନିଜ ପୁଅକୁ ଜ୍ୱର ହୋଇଥିବାରୁ ଗତ ୨୭ ତାରିଖ ଦିନ ତାରିଣୀ ଛକ ସ୍ଥିତ ଘରୋଇ କ୍ଲିନିକକୁ ଯାଇଥିଲେ। ସେଠାରେ ଡା. ଏମ୍‌.ଆର ବେହେରାଙ୍କୁ ପୁଅକୁ ଦେଖାଇଥିଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ମହମ୍ମଦ ପୁଅକୁ ନେଇ ସ୍ଥାନୀୟ ଜଗତ ଜନନୀ ମନ୍ଦିର ନିକଟରେ ଥିବା ସୁଶୀଲ ସାବତଙ୍କ ପାଥୋଲୋଜି ଲ୍ୟାବକୁ ଯାଇଥିଲେ। ଡାକ୍ତର ପରୀକ୍ଷା ପାଇଁ ଦେଇଥିବା ଚିଠାକୁ ବୁଝିନପାରି ପାଥୋଲୋଜିଷ୍ଟ ଜଣକ କ’ଣ ରୋଗ ହୋଇଛି ବୋଲି ମହମ୍ମଦଙ୍କୁ ପଚାରିଥିଲେ। ଜ୍ୱର ହୋଇଥିବା ଅନୁମାନ କରି ରକ୍ତ ପରୀକ୍ଷା କରିଥିଲେ।

ଗତକାଲି ରକ୍ତ ପରୀକ୍ଷା ରିପୋର୍ଟ ନେଇ ମହମ୍ମଦ ପୁଣି ଡାକ୍ତରଙ୍କ ପାଖକୁ ଯାଇଥିଲେ। ତେବେ ପରୀକ୍ଷା ରିପୋର୍ଟରେ କିଛି ସ୍ପଷ୍ଟ ରୂପେ ଲେଖା ହୋଇ ନଥିବା ଡାକ୍ତର କହିଥିଲେ। କିଛି ଔଷଧ ଲେଖି ରୋଗୀକୁ ଦେବା ପାଇଁ ପରାମର୍ଶ ଦେଇଥିଲେ। ପୁଅର ଚିକିତ୍ସା ପାଇଁ ଚିନ୍ତିତ ମହମ୍ମଦ ହରଡଘଣାରେ ପଡି ପୁଣି ପାଥୋଲୋଜି ଲ୍ୟାବ୍‌କୁ ଯାଇ ସ୍ପଷ୍ଟ ରୂପେ ରିପୋର୍ଟ ଦେବାକୁ କହିଥିଲେ। ଯାହାଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଝିଅ ଶୀତଳ ସାବତଙ୍କୁ ନେଇ ସୁଶୀଲ ଡାକ୍ତରଙ୍କ କ୍ଲିନିକକୁ ଯାଇଥିଲେ। ସେଠାରେ ରିପୋର୍ଟକୁ ନେଇ ପାଟିତୁଣ୍ଡ ହୋଇ ଦୁହେଁ ପରସ୍ପରକୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏନେଇ ସୁଶୀଲ ଥାନାରେ ଅଭିଯୋଗ କରିଛନ୍ତି।

ତାଙ୍କୁ ମାଡ଼ମାରି ଝିଅକୁ ଗାଳି ଗୁଲଜ କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ୧୧୦/୧୮ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ସୁଶୀଲ କ୍ଲିନକରେ ଧସେଇ ପଶି ଡାକ୍ତରଙ୍କ ଆଟେଣ୍ଡାଣ୍ଟ ମେହେରୁନିଶା ବେଗମ୍‌ଙ୍କୁ ଧକ୍କା ଦେଇଥିବା ପାଲଟା ଅଭିଯୋଗ ହୋଇଛି। ମେହେରୁନିଶାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଥାନାରେ ୧୧୧/୧୮ ନମ୍ବରରେ ମାମଲା ରୁଜୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡାକ୍ତର ବେହେରା, ସୁଶୀଲ, ଶୀତଳ ଓ ମେହେରୁନିଶାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଶିବ ଶଙ୍କର ସାହୁ କହିଛନ୍ତି। ଏଥିସହ ରିପୋର୍ଟ ଗୁଡିକୁ ଜବତ କରିବା ସହ ଉଭୟଙ୍କୁ ଲାଇସେନ୍ସ ଆଣିବାକୁ କୁହାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର