ସୂଚନା ଫଳକ ଖତ ଖାଉଛି

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳପ୍ରପାତ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବାରୁ ଦେଶବିଦେଶରୁ ଏଠାକୁ ପର୍ଯ୍ୟଟକ ଆସିଥାନ୍ତି। ପ୍ରତି ବର୍ଷ ଡିସେମ୍ବର ଠାରୁ ଜାନୁଆରି ମାସରେ ପର୍ଯ୍ୟଟକ ଭିଡ ଜମାଉଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ଭିଡ ଅଧିକ ହୋଇଥିବା କୁହାଯାଇଛି। କିନ୍ତୁ ଏହି ସ୍ଥାନକୁ ପର୍ଯ୍ୟଟନ ବିଭାଗ ତରଫରୁ ସେଭଳି ବ୍ୟବସ୍ଥା କରାଯାଇନଥିବା ବେଳେ ବହୁ ବର୍ଷ ପରେ ଲମତାପୁଟ ଛକରେ ସୂଚନା ଫଳକ ଲଗା ଯାଇଥିଲେ ମଧ୍ୟ କୌଣସି କାରଣରୁ ଖସି ପଡିବାରୁ ଖତ ଖାଉଛି। ସେହିଭଳି ଲମତାପୁଟ ବ୍ଲକରେ ପର୍ଯ୍ୟଟନ ବିଭାଗ ତରଫରୁ ଜୟପୁର ଠାରୁ ଲମତାପୁଟ ରାସ୍ତାର କୋଟା ଛକ ଠାରୁ ଡୁଡୁମା କେତେ କିମି ଦୂର ତାହାର ଏକ ସୂଚନା ଫଳକ ଲଗାଯାଇଛି। ସେହିପରି ଆନ୍ଧ୍ର ରାସ୍ତାରେ ଡୁଡୁମା ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସଗର ନିକଟରେ ସୂଚନା ଫଳକ ଲଗାଯାଇଛି।

କିନ୍ତୁ ଲମତାପୁଟ ଛକରେ ମାଛକୁଣ୍ଡ ମହାଶିବ ଲିଙ୍ଗ ଗୁପ୍ତେଶ୍ୱରର ଦୂରତା ସଂପର୍କରେ ଲଗାଯାଇଥିବା ସୂଚନା ଫଳକ ଏକ ଗଛ ମୂଳେ ଖତ ଖାଉଥିବା ଦେଖିବାକୁ ମିଳିଛି। ଏହା ପର୍ଯ୍ୟଟନ ବିଭାଗ ପକ୍ଷରୁ କାଢି ଦିଆଯାଇଛି ନା ଖସିଯିବାରୁ ସେଠାରେ ପକାଇ ଦିଆଯାଇଛି ତାହା ଜଣାପଡିନାହିଁ। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଭିଡ ଜମୁଛି। କିନ୍ତୁ ଲମତାପୁଟ ଛକରେ ସୂଚନା ଫଳକ ନଥିବାରୁ ଅଧିକାଂଶ ପର୍ଯ୍ୟଟକ ଭୁଲ ରାସ୍ତାରେ ଯାଇ ହଇରାଣ ହେଉଥିବା ଜଣାପଡିଛି। ମାଛକୁଣ୍ଡ ଜଳପ୍ରପାତ ଏବଂ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶ ବେଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ସରକାର କିମ୍ବା ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ପର୍ଯ୍ୟଟନ ଅଞ୍ଚଳର ବିକାଶ ସହ ଆବଶ୍ୟକ ସ୍ଥାନରେ ସୂଚନା ଫଳକ ଲଗାଇବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର