ଜଳସ୍ତର କମୁଛି, ହ୍ରାସ ପାଇଲା ବିଦ୍ୟୁତ ଉତ୍ପାଦନ:‌କୋଲାବ ପ୍ରକଳ୍ପର ୨ଟି ୟୁନିଟ ବନ୍ଦ 

ଜୟପୁର: ବର୍ଷା ଅଭାବରୁ କୋରାପୁଟ ଜିଲ୍ଲାରେ ଥିବା ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଜୁନ ୩ୟ ସପ୍ତାହ ସୁଦ୍ଧା ଜିଲ୍ଲାରେ ୫୦ପ୍ରତିଶତ କମ୍ ବର୍ଷା ହୋଇଛି। ଏହାଫଳରେ କୋଲାବ ଜଳଭଣ୍ଡାରରେ ଜଳସ୍ତର ଆଶ୍ଚର୍ଯ୍ୟଜନକ ଭାବେ କମିବାରେ ଲାଗିଛି। ଗୋଟିଏ ପଟେ କୋଲାବ ଜଳବିଦ୍ୟୁତ ପ୍ରକଳ୍ପର ୨ଟି ଟରବାଇନ୍ ଦୀର୍ଘ ଦିନ ହେବ ମେଣ୍ଟନାନସରେ ରହିଛି। ଅନ୍ୟ ପକ୍ଷରେ କୋଲାବ ଜଳଭଣ୍ଡାରରେ ୮୪୬.୨୩ମିଟର ପାଣି ଜମା ହୋଇ ରହିଛି। ଜଳଭଣ୍ଡାରରେ ସର୍ବନିମ୍ନ ୮୪୪ମିଟର ପାଣି ରହିବା ଜରୁରୀ। ତେଣୁ ଭଲ ବର୍ଷା ନ‌େହେଲେ ବିଦ୍ୟୁତ ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇଯିବ। ଏଭଳି ସ୍ଥିତିର ମୁକାବିଲା ନିମନ୍ତେ କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପର ଗୋଟିଏ କିମ୍ବା ଦୁଇଟି ଟରବାଇନ୍ ଦ୍ବାରା ୭୦ରୁ ୮୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଉଛି। ଅଧିକ ଆବଶ୍ୟକ ହେଲେ ଶହେ ମେଗାୱାଟ ପର୍ଯ୍ୟନ୍ତ ଉତ୍ପାଦନ କରାଯାଉଥିବା ଓଏଚପିସି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଂଜନ ବିଶ୍ବାଳ କହିଛନ୍ତି। ସରକାରଙ୍କ ନିର୍ଦେଶ ଅନୁଯାୟୀ ତଥା ଜଳସ୍ତରକୁ ଦୃଷ୍ଟିରେ ରଖି ୨ଟି ଟରବାଇନ୍ ବୁଲୁଛି ବୋଲି କହିଛନ୍ତି। ଚଳିତ ବର୍ଷ ମୌସୁମୀ ବିଳମ୍ବ କରୁଥିବାରୁ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି। ଯଦି ଜଳସ୍ତର ଠିକ ରହିଥାନ୍ତା ଏବଂ ୪ଟି ଯାକ ଟରବାଇନ୍ ବୁଲିଥିଲେ ଦିନକୁ ୩୨୦ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ ହୋଇ ପାରନ୍ତା। ତେବେ ଜଳସ୍ତର କମ ରହୁଥିବାରୁ ଉତ୍ପାଦନ କମିଛି। ବିଦ୍ୟୁତ ଉତ୍ପାଦନ କମିବା ଫଳରେ ବିଦ୍ୟୁତ କାଟ୍ ହେଉଥିବା ଜଣାପଡ଼ିଛି। ୨୦୦୨-୨୦୦୩ ମସିହା ଠାରୁ କୋଲାବ ଜଳଭଣ୍ଡାରରେ ଏହି ସ୍ଥିତି ଲାଗି ରହୁଛି ବୋଲି ସୂଚନା ମିଳିଛି। ତେବେ ଆବଶ୍ୟକ ପରିମାଣର ବର୍ଷା ହେବା ସହ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଜଳ ଗଚ୍ଛିତ ହୋଇ ରହୁନଥିବାରୁ ଯେଉଁ ପରିମାଣର ବିଦ୍ୟୁତ ଉତ୍ପାଦନ ହେବା କଥା ହୋଇ ପାରୁନି। ଏପରିକି କୋରାପୁଟ ଜିଲ୍ଲାରେ ବି ପୂର୍ବ ଭଳି ବର୍ଷା‌ ବି ହେଉନି। ଭଲ ବର୍ଷା ନହେବା ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ଏବଂ ଆସନ୍ତା ଦିନରେ ବିଦ୍ୟୁତ କାଟ୍ ଜାରୀ ରହିବ ବୋଲି ଆଲୋଚନା ହେଉଛି।

 

ସମ୍ବନ୍ଧିତ ଖବର