ଜୟପୁର: ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ମହିଳା ଗ୍ରୁପ୍ ନାଁରେ ଋଣ କରାଇ ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୪ଲକ୍ଷ ଟଙ୍କା ନେଇ ମହିଳା ଗ୍ରୁପର ସଭାନେତ୍ରୀ ଫେରାର ହୋଇଯାଇଛନ୍ତି। ଏନେଇ ଜୟପୁର କିଆବନ୍ଧ ସାହିର ବହୁ ମହିଳା ଅଭିଯୋଗ କରିଛନ୍ତି। ଗତ ମାର୍ଚ୍ଚ ୨୩ତାରିଖରେ ମହିଳାମାନେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାକୁ ଯାଇଥିଲେ। ତେବେ ପୁଲିସ ଏହି ଅଭିଯୋଗକୁ ସେତେଟା ଗୁରୁତ୍ବ ଦେଇ ନଥିଲା କିମ୍ବା ମାମଲା ରୁଜୁ କରି ନଥିବା ଭଳି ସଂଗିନ ଅଭିଯୋଗ ମହିଳାମାନେ କରିଛନ୍ତି। ଅନ୍ୟପକ୍ଷରେ ଏହି ଋଣ ଟଙ୍କା ପାଇଁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ସାହି ବାସିନ୍ଦାଙ୍କୁ ଡରାଇବା ସହ ଜୀବନକୁ ନର୍କ କରି ଦେଇଛନ୍ତି ବୋଲି ମହିଳାମାନେ କହିଛନ୍ତି। ଏହି ସ୍ଥିତିରେ ଅପମାନିତ ଅନୁଭବ କରି ସମୂହ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, କିଆବନ୍ଧ ସାହିର ଜଣେ ମହିଳା ସ୍ଥାନୀୟ କିଛି ମହିଳାଙ୍କୁ ନେଇ ଗୋଟିଏ ଗ୍ରୁପ୍ ଗଠନ କରିଥିଲେ। ନିଜେ ସଭାନେତ୍ରୀ ହୋଇ ଅନ୍ୟ ସଭ୍ୟାଙ୍କ ନାଁରେ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକରୁ ଋଣ ନେଇଥିଲେ। ନେଇଥିବା ଋଣ ଟଙ୍କାରୁ ଅଳ୍ପ କିଛି ଟଙ୍କା ସଭ୍ୟା ମାନଙ୍କୁ ଦେଇ ବଳକା ଟଙ୍କା ନିଜେ ପରିଶୋଧ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। କିନ୍ତୁ ଟଙ୍କା ପରିଶୋଧ ନକରି ସେ ଫେରାର ହୋଇଯାଇଛନ୍ତି। ସାହିର ବୁଢ଼ୀ ପାତ୍ରଙ୍କ ନାଁରେ ୫୦ହଜାର, ମଂଜୁ ରାଜୁଙ୍କ ନାଁରେ ୫୯ହଜାର, ଭାଗ୍ୟବତୀ ପାତ୍ରଙ୍କ ନାଁରେ ୬୦ହଜାର, ସତ୍ୟ ନାଁରେ ୩୪ହଜାର, ରାଜକୁମାରୀ ନାଁରେ ୭ହଜାର, ଦିନା ନାଗ ନାଁରେ ୧୬ହଜାର, ଅଗାଧି କୁମାରୀ ଗୌଡଙ୍କ ନାଁରେ ୪୩ହଜାର, ଉର୍ମିଳା ନାଁରେ ୨୦ହଜାର, ମୁଣ୍ଡ୍ରି ନାଁରେ ୫୦ହଜାର, ଶୈଳ ନାଁରେ ୩୦ହଜାର, ବଇଦି ନାଁରେ ୧୦ହଜାର, ଦୁର୍ଗା ପାତ୍ର ନାଁରେ ୪୦ହଜାର, ସଂଗୀତା ନାଁରେ ୩୬ହଜାର, ପୁନି ନାଁରେ ୩୩ହଜାର, ଅନିତା ରାଓ ନାଁରେ ୪୦ହଜାର, ବିନା ସିଂ ନାଁରେ ୩୬ହଜାର, ଲଳିତା ଜାନୀ ନାଁରେ ୧୯ହଜାର, ରୁନି ନାଁରେ ୨୭ହଜାର , ଲକ୍ଷ୍ମୀ ନାଁରେ ୧୦ହଜାର ଓ ଆଇ. ଲକ୍ଷ୍ମୀ ନାଁରେ ୧୫ହଜାର ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରାଇଥିଲେ। ତେବେ ଏମାନେ ଏତେ ଟଙ୍କା ପାଇ ନଥିବା କହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ, ବିଭିନ୍ନ ଘରେ ଯାଇ ବାସନ ମାଜୁଥିବା ମହିଳା ଓ ଅଟୋ ଡ୍ରାଇଭର ରହିଛନ୍ତି।
ବୁଢ଼ୀ ପାତ୍ରଙ୍କ କହିବା ହେଲା ପୁଅର ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଥିଲା। ଟଙ୍କା ଆବଶ୍ୟକ ପଡ଼ିବାରୁ ଉକ୍ତ ମହିଳାଙ୍କ ଜାଲରେ ପଡ଼ିଥିଲେ। ସାହିରେ ରହୁଥିବାରୁ ବିଶ୍ବାସ କରି ଏବେ ଋଣ ଯନ୍ତାରେ ପଶି ଯାଇଛନ୍ତି। ଋଣ ବାବଦରେ ମାତ୍ର ୫ହଜାର ଟଙ୍କା ପାଇଥିବା ବେଳେ ବଳକା ଟଙ୍କା ସବୁ ଉକ୍ତ ମହିଳା ଜଣକ ରଖିଥିଲେ। ବର୍ତମାନ ଉକ୍ତ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଋଣ ଟଙ୍କା ପରିଶୋଧ କରିବାକୁ କହୁଛନ୍ତି। ଉକ୍ତ ମହିଳାଙ୍କ ସଂପର୍କରେ ଥାନାରେ ଏତଲା ଦେବା ପରେ ବି ପୁଲିସ କିଛି ପଦକ୍ଷେପ ନେଇନି। ମହିଳାଙ୍କ ପୁଅକୁ ଧରି ପୁଲିସ ଜିମାରେ ଦେଇଥିଲେ ସୁଦ୍ଧା ପୁଲିସ ଛାଡ଼ି ଦେଇଥିଲା। ଉକ୍ତ ସଂସ୍ଥାର କର୍ମଚାରୀ ଆସି ତୁମ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ଆମ ନିକଟରେ ରହିଛି ବୋଲି କହି ଧମକାଉଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ଆମେ ଆତ୍ମହତ୍ୟା କରିବା ଛଡା ଅନ୍ୟ କିଛି ଉପାୟ ନାହିଁ ବୋଲି କହିଛନ୍ତି। ପୁଲିସ ଓ ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଟଙ୍କା ନେଇ ମହିଳା ଫେରାର:୪ଲକ୍ଷରୁ ଊର୍ଧ୍ବ ଟଙ୍କା ଠକେଇ ଅଭିଯୋଗ, ପୁଲିସ ଚୁପ୍
/sambad/media/post_attachments/wp-content/uploads/2019/04/woman-strike-1.jpg)
/sambad/media/agency_attachments/2024-07-24t043029592z-sambad-original.webp)