ନିଆଁରେ ପୋଡି ମହିଳା ଗୁରୁତର

ଦଶମନ୍ତପୁର: ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତ ଅନ୍ତର୍ଗତ କିଟେସ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ରୋଷେଇ କରୁଥିବା ସମୟରେ ଚୁଲି ନିଆଁ ଲାଗିଯିବାରୁ ଗ୍ରାମର ଶଙ୍କର ଖରାଙ୍କ ପତ୍ନୀ ଲୁସି ଖରା ପୋଡି ଯାଇ ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଶଙ୍କର ଖରାଙ୍କ ପତ୍ନୀ ଲୁସି ନିଜ ଘରେ କାଠ ଚୁଲିରେ ରୋଷେଇ କରୁଥିଲେ। ତେବେ ଏହି ସମୟରେ ହଠାତ୍‌ ଲୁସିଙ୍କ ଶାଢୀରେ ନିଆଁ ଲାଗିଯାଇ ଶରୀରର ପ୍ରାୟ ୬୦ପ୍ରତିଶତ ପୋଡି ଯାଇଥିଲା। ପରେ ପରିବାର ଲୋକ ତାଙ୍କୁ ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ପରେ ୧୦୮ଆମ୍ବୁଲାନ୍‌ସ ଯୋଗେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିବାରୁ ଲୁସିଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପରିବାର ଲୋକଙ୍କ ନିକଟରେ ଟଙ୍କା ଅଭାବରୁ ଲୁସିଙ୍କୁ କଟକ ନିଆଯାଇନଥିବା ଜଣାପଡିଛି। ଲୁସିଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଅତି କଷ୍ଟରେ ପରିବାର ଚଳାଉଥିବା ବେଳେ ପତ୍ନୀକୁ କିଭଳି କଟକ ନେଇ ଚିକିତ୍ସା କରାଯିବ ସେନେଇ ଶଙ୍କର ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର