ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ଗୋରୁ ଚରାଇବା ନିମନ୍ତେ ଗ୍ରାମ ନିକଟ ପାହାଡ଼କୁ ଯିବା ସମୟରେ ସେହି ଗ୍ରାମର ଜଣେ ବ୍ୟକ୍ତି ଟାଙ୍ଗିଆରେ ଗଳା କାଟି ହତ୍ୟା କରିଥିବା ନେଇ ପଟ୍ଟାଙ୍ଗି ଥାନାରେ ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ପଟ୍ଟାଙ୍ଗି ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଡାମଗାନ୍ଧୀ ଗ୍ରାମର ବାରୁସୁ ଖରା(୩୫) ଆଜି ସକାଳେ ନିଜ ଗୋରୁ ଗାଈ, ଛେଳି, ମେଣ୍ଢା ନେଇ ଚରାଇବା ନିମନ୍ତେ ନିକଟସ୍ଥ ପାହାଡ଼କୁ ଯାଇଥିଲେ। ତେବେ ଉକ୍ତ ଗ୍ରାମର ଜଣେ ଦୁର୍ବୃତ ତାଙ୍କୁ ପଛ ପଟୁ ଏକ ଟାଙ୍ଗିଆରେ ବେକକୁ ହାଣି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାରସୁ ଖରା ଛଟପଟ ହେଉଥିବା ଗ୍ରାମର କିଛି ଲୋକ ଦେଖି ପରିବାରବର୍ଗକୁ ଖବର ଦେଇଥିଲେ। ପରିବାରବର୍ଗ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାରସୁ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନୂଆଗାଁର ପୂର୍ବତନ ସରପଞ୍ଚ ସୁନୀଲ ଖରା ଓ ଆଖପାଖ ଗ୍ରାମର ଭଦ୍ରବ୍ୟକ୍ତି ମାନେ ପହଞ୍ଚିଥିଲେ। ପରେ ମୃତକଙ୍କ ଭାଇ ବାସା ଖରା ପଟ୍ଟାଙ୍ଗି ଥାନାରେ ଉକ୍ତ ଗ୍ରାମର କାଟୁ ଖରା(୫୨)ଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଲିଖିତ ଏତଲା ଦେଇଥିଲେ।
ଖବର ପାଇ ପଟ୍ଟାଙ୍ଗି ଥାନା ଏଏସଆଇ ସୁବାସ ନାୟକ ଏକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କାଟୁ ଖରାଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିବା ଜଣାପଡିଛି। ତେବେ ମୃତ ଦେହକୁ ଶବ ବ୍ୟବଛେଦ ନିମନ୍ତେ ପଟ୍ଟାଙ୍ଗି ଡାକ୍ତରଖାନାକୁ ଆଣିବାକୁ ଶବବାହକ ଗାଡି ନମିଳିବାରୁ କାନ୍ଧେଇ କାନ୍ଧେଇ ୬ କିଲୋମିଟର ବାଟ ବୋହି ଆଣିଥିବା ଦେଖିବାକୁ ମିଳିଥିଲା। ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ଚାଲିଛି ତଦନ୍ତ ପରେ ହତ୍ୟାର ପ୍ରକୃତ ଘଟଣା ଜଣାପଡିବ ବୋଲି ଏଏସଆଇ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।