ଢେଙ୍କାନାଳ: ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥତାର ସମ୍ମୁଖୀନ ହେଲେ କାମାକ୍ଷା ପ୍ରସାଦ ସିଂହଦେଓ, ହସ୍‌ପିଟାଲରେ ଭର୍ତ୍ତି

ଢେଙ୍କାନାଳ: କଂଗ୍ରେସର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓ ଶନିବାର ନିର୍ବାଚନ ପ୍ରଚାର ସମୟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ହେବା ପରେ ତାଙ୍କୁ ରବିବାର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ କେପି ସିଂହଦେଓଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି।

ସୂଚନା ଅନୁସାରେ କେପି ସିଂହଦେଓ ଶନିବାର ମଧ୍ୟାହ୍ଣରେ ଗଦିଆଁ ଅଂଚଳର ନହଲପ୍ରସାଦରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ସନ୍ଧ୍ୟା ବେଳକୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ।

କଂଗ୍ରେସ ବରିଷ୍ଠ ନେତା ଚଳିତ ଲୋକସଭା ନିର୍ବାଚନରେ ଦଳୀୟ ଟିକେଟରେ ଢେଙ୍କାନାଳ ଆସନରୁ ନିର୍ବାଚନ ଲଢୁଛନ୍ତି। ମାରାଥନ ନିର୍ବାଚନୀ ପ୍ରଚାରରେ ସେ ଆଜି ହଠାତ ଅସୁସ୍ଥ ହୋଇ ଯାଇଥିଲେ। ରାଜପରିବାରର ପୁଅ ତଥା ପୂର୍ବତନ ସାଂସଦଙ୍କ ପୁଅ ଅମରଜ୍ୟୋତି ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସୁସ୍ଥ ଅଛି।

ସୂଚନାଯୋଗ୍ୟ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ରାଜନୈତିକ କ୍ୟାରିୟର ସୁଦୀର୍ଘ। ସେ ୬ ଥର ଲୋକସଭାରେ ସାଂସଦ ହୋଇଥିବା ବେଳେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ପିଭି ନରସିଂହ ରାଓ ସରକାରରେ ମନ୍ତ୍ରୀ ଥିଲେ। ବର୍ଷ ୨୦୦୪ ନିର୍ବାଚନରେ ପରାଜିତ ହେବା ପରେ ତାଙ୍କୁ କଂଗ୍ରେସ ୨୦୦୯ ଓ ୨୦୧୪ରେ ଟିକେଟ ଦେଇ ନଥିଲା।

ସମ୍ବନ୍ଧିତ ଖବର