ଅଟକିଲା କେଭିଙ୍କ ବିଜୟ ରଥ, ସ୍ତ୍ରୀ ସଂଗୀତାଙ୍କ ୪ର୍ଥ ପାଳି

ବଲାଙ୍ଗୀର: ପାଟଣାଗଡ଼ ବିଧାନସଭା ଆସନରୁ ଲଗାତାର ୫ଥର ବିଜୟୀ ହୋଇ ତିନିଥର ମନ୍ତ୍ରୀ ହୋଇ ସାରିଥିବା ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଚଳିତ ନିର୍ବାଚନରେ ହାରି ଯାଇଛନ୍ତି। ୧୯୯୫ ମସିହାରେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦ ଓ ୨୦୦୪ ମସିହାରେ ବିଜୟୀ ହୋଇ ଶିଳ୍ପ ମନ୍ତ୍ରୀ ହୋଇଥିଲେ। ପରେ ୨୦୦୯ ମସିହାରେ ପୁଣି ବିଜୟୀ ହୋଇ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ।

ବିଜେପି ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୧୪ରେ ସେ ପୁଣି ନିର୍ବାଚିତ ହୋଇ ବିଜେପି ବିଧାୟକ ଦଳ ନେତା ହୋଇଥିଲେ। ହେଲେ ଷଷ୍ଠ ବିଜୟ ପାଇଁ ଏଥର ତାଙ୍କ ଭାଗ୍ୟ ସହାୟ ହୋଇନାହିଁ। ତାଙ୍କ ପତ୍ନୀ ସଂଗୀତା ସିଂହଦେଓ ଏଥର ବଲାଙ୍ଗୀର ଲୋକସଭା ଆସନରେ ବିଜୟୀ ହୋଇଥିଲେ ବି ନିଜେ କେଭି ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କଠାରୁ ହାରି ଯାଇଛନ୍ତି।

ଅପରପକ୍ଷରେ ତାଙ୍କ ପତ୍ନୀ ସଂଗୀତା କୁମାରୀ ସିଂହଦେଓ ଚଳିତ ଥର ୪ର୍ଥ ଥର ପାଇଁ ବଲାଙ୍ଗୀର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ପୂର୍ବରୁ ୧୯୯୮, ୧୯୯୯ ଓ ୨୦୦୪ ନିର୍ବାଚନରେ ସଂଗୀତା ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ରାଜପରିବାରର ଅନ୍ୟତମ ସଦସ୍ୟ ତଥା ଦିଅର କଳିକେଶ ସିଂହଦେଓଙ୍କଠାରୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର