ପାଉଣା ନପାଇ ଶ୍ରମିକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ :ଟିଡ଼ିଆର ଚଞ୍ଚକତା ମାମଲା

ଆଜି ସରୁଛି ବଣ୍ଟିଙ୍କ ରିମାଣ୍ଡ ଅବଧି

ନୂଆପଡ଼ା: ବହୁ ଚର୍ଚ୍ଚିତ ଟିଡିଆର୍‌ ଚଞ୍ଚକତା ମାମଲାର ମୁଖ୍ୟ ଅଭିଯୁକ୍ତ ବଣ୍ଟି ଅଗ୍ରଓ୍ଵାଲଙ୍କୁ ନୂଆପଡ଼ା ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଥିଲା। ୨୩ ତାରିଖ ଗୁରୁବାର ଏହି ରିମାଣ୍ଡ ଅବଧି ଶେଷ ହେଉଛି। ଏହି ସମୟରେ ନୂଆପଡ଼ା ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି। ଆଗକୁ କେଉଁ ଜିଲ୍ଲାର ପୁଲିସ ବଣ୍ଟିଙ୍କୁ ରିମାଣ୍ଡରେ ନେବ ଏବଂ ତଦନ୍ତ କୁଆଡ଼େ ଯିବ ତାଙ୍କୁ ଗୁରୁବାର କୋର୍ଟରେ ହାଜର କରିବା ପରେ ଜଣାପଡ଼ିବ। ଅନ୍ୟପଟେ ନୂଆପଡ଼ାରେ ଚାଲୁଥିବା ବିଜୁ ଏକ୍ସପ୍ରେସେଓ୍ଵରେ ୨ ମାସ କାମ କରି ପାରିଶ୍ରମିକ ପାଇ ନଥିବା ଶ୍ରମିକମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଏହି ଶ୍ରମିକମାନେ ଲିଖିତ ଭାବେ ଅଭିଯେଗ କରିଛନ୍ତି ଯେ, ସେମାନେ ବିଜୁ ଏକ୍ସପ୍ରେସେଓ୍ଵରେ କାମ କରୁଥିଲେ। ମାସ ପୂରିବା ପରେ ଏହି କାମର ପ୍ରୋଜେକ୍ଟ ମ୍ୟାନେଜର ଶିବରମେୟା ନାଇଡୁଙ୍କୁ ଟଙ୍କା ମାଗିବାରୁ ସେ ଦିନ ଗଡ଼ାଇ ଚାଲିଛନ୍ତି। ବର୍ତ୍ତମାନ ସେମାନଙ୍କ ପକ୍ଷରେ ଘର ଚଳାଇବା କଷ୍ଟକର ହେଉଛି। ଏଣୁ ଏହାର ଶୀଘ୍ର ତଦନ୍ତ କରି ସେମାନଙ୍କ ପାରଶ୍ରମିକ ଦିଆଯାଉ ବୋଲି ଦାବି କରିଛନ୍ତି। ଉକ୍ତ ଅଭିଯୋଗପତ୍ରରେ ୫୮ଜଣ ଶ୍ରମିକଙ୍କ ନାଁ ରହିଛି। ପାଉଣା ବାବଦରେ ମୋଟ ୮ଲକ୍ଷ ୭୪ହଜାର ୧୧୦ଟଙ୍କା ବକେୟା ଥିବା ସେମାନେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ମୁକ୍ତଲାଲ ନାଏକଙ୍କୁ ପଚାରିବାରୁ ଶ୍ରମିକମାନେ ତାଙ୍କ ଟଙ୍କା କିପରି ଫେରି ପାଇବେ ତା ପାଇଁ ତଦନ୍ତ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ ଯେ, ଠିକାଦାର ବଣ୍ଟି, ତାଙ୍କ ସ୍ତ୍ରୀ ସବିତା ଅଗ୍ରୱାଲ ଓ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲଙ୍କ ନାମରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ୧୮ଟି ଜାଲ୍‌ ଟିଡିଆର୍‌ରେ ମୋଟ ୨୫ କୋଟି ୩୬ ଲକ୍ଷ ୯୧ ହଜାର ୨୦୦ ଟଙ୍କା ଠକେଇ କରିଥିବା ନୂଆପଡ଼ା ଏସ୍‌ପି ସ୍ମିତ ପରମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ବଣ୍ଟିଙ୍କ ନାମରେ ନୂଆପଡ଼ା ଜିଲ୍ଲା ସଦର ଥାନାରେ ୧, ଖଡ଼ିଆଲ ଥାନାରେ ୨ଟି, ନବରଙ୍ଗପୁର ଜିଲ୍ଲା ସଦର ଥାନାରେ ୨ଟି, କଳାହାଣ୍ଡିି ଜିଲ୍ଲାର ଭବାନୀପାଟଣା ଥାନାରେ ୨ଟି, ଧର୍ମଗଡ଼ ଥାନାରେ ୧, କେସିଙ୍ଗା ଥାନାରେ ୧, ବରଗଡ଼ ସଦର ଥାନାରେ ଗୋଟିଏ ମୋଟ ୧୦ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର