ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ଥାନାରେ ନିଶା ବଟିକା ଖାଇଦେଲେ ଯୁବତୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୁଚିଣ୍ଡା: ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ଥାନାରେ ଶନିବାର ଜଣେ ଯୁବତୀ ନିଶା ବଟିକା ଖାଇ ଦେଇଛନ୍ତି। ଏକାଥରକେ ୫ଟି ନିଶା ବଟିକା ଖାଇଦେବା ପରେ ଯୁବତୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ ଜଣେ ଯୁବତୀ ୪ ବର୍ଷ ହେବ କୁଚିଣ୍ଡା ଥାନା ଅନ୍ତର୍ଗତ ବିଜ୍ଞାପିତ ଅଂଚଳ ପରିଷଦର ୧୧ ନମ୍ବର ଓ୍ଵାର୍ଡ ନିବାସୀ ବେଦବ୍ୟାସ ଭୀମଙ୍କୁ ଭଲପାଉଥିଲେ। ଉଭୟ ଯୁବତୀ ଓ ବେଦବ୍ୟାସ ବିବାହ କରିବାକୁ ସ୍ଥିର କରିଥିଲେ। ମାତ୍ର ବେଦବ୍ୟାସ ପ୍ରତାରଣା କରିବାରୁ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେ ୧୭ ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ବେଦବ୍ୟାସକୁ ଡାକି ମାମାଲାର ସମାଧାନ କରିଥିଲା।

ପୁଲିସ ସମ୍ମୁଖରେ ବେଦବ୍ୟାସ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲା କିନ୍ତୁ ଏବେ ମା’ର ଦେହ ଅସୁସ୍ଥ ଥିବାରୁ ବିବାହ ବିଳମ୍ବ ହେବ ବୋଲି କହିଥିଲା। ଏହା ପରେ ଯୁବତୀ ଜଣକ ଆଜି ପୁଣି ଥରେ ଏତଲା ଦେବା ପାଇଁ ଥାନାକୁ ଆସିଥିଲେ। ମାତ୍ର ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ସେ ୫ଟି ନିଶା ବଟିକା ଖାଇଦେଇଥିଲେ। ନିଶା ବଟିକା ଖାଇବାର ଅଳ୍ପ ସମୟ ମଧ୍ୟରେ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ରହିଛି। କୁଚିଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କହିଛନ୍ତି, ଏକ ଘଣ୍ଟା ଯାଏଁ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯିବ। ଅନ୍ୟ ପଟରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର