ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ଲକ୍ଷାଧିକ ଟଙ୍କା ଓ ୨୦୦ ଗ୍ରାମ ସୁନା ଗହଣା ଲୁଟିଲେ ୪ ଦୁର୍ବୃତ୍ତ

ଚାନ୍ଦବାଲି: ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ଶନିବାର ରାତି ୪ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ୨୦୦ ଗ୍ରାମ ସୁନା ଗହଣା ଲୁଟି ନେଇଛନ୍ତି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ବାଂଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ପଂଚାୟତ ଜି.ଆର.ଏସ.ଙ୍କ ଘରେ ରାତିରେ ୪ ଜଣ ଦୁର୍ବୃତ୍ତ ପ୍ରବେଶ କରି କଳାକନା ବୁଲାଇଛନ୍ତି।

ଦୁର୍ବୃତ୍ତମାନେ ମୁହଁରେ କଳାକନା ପିନ୍ଧି ମହିଳାଙ୍କ ସ୍ୱାମୀ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟ କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପଂଚାୟତ ନିର୍ବାହୀ ଅଧିକାରୀ ଅରୁଣ କୁମାର ପଣ୍ଡା ଓ ତାଙ୍କ ପତ୍ନୀ ସୁଲତା ପଣ୍ଡା ତୋଟାପଡ଼ା ପଂଚାୟତ ଜି.ଆର.ଏସ.ଭାବରେ କାର୍ଯ୍ୟ କରିଥାନ୍ତି। ନିଜ ବାସଭବନରେ ବିଳମ୍ବିତ ରାତିରେ ସୁଲତା ନିଜ ଲ୍ୟାପଟପରେ ପଂଚାୟତ କାର୍ଯ୍ୟ କରୁଥିବା ବେଳେ ସ୍ୱାମୀ ଅରୁଣ ଖଟ ଉପରେ ଚେଇଁ ଶୋଇରହିଥିଲେ।

ଲତା ଅନ୍ୟ ବଖରାରେ ପିଲା ଶୋଉଥିବା ପାଇଁ ଟିକେ ଦେଖି ଆସିବାକୁ ସ୍ୱାମୀକୁ କହିଥିଲେ। ଏହି ସମୟରେ ୪ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି, ହାତରେ ବନ୍ଧୁକ, ଭୁଜାଲି, ଶାବଳ ଓ ପନିକି ଧରି ଘରକୁ ପ୍ରବେଶ କରିଥିଲେ। ସେମାନେ ମହିଳାଙ୍କ ବେକରେ ପନିକି ଲଗାଇ ଦେଇ ମହିଳାଙ୍କ ଶୋଇବା ଘରେ ପ୍ରବେଶ କରି ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇଦେଇ ସମସ୍ତ ପିନ୍ଧିଥିବା ସୁନା ଅଂଳଙ୍କାର ଲୁଟିନେଇଥିଲେ। ପରେ ସ୍ୱାମୀଙ୍କ ହାତରେ ପିନ୍ଧିଥିବା ମୁଦି ଓ ତାଙ୍କ ପକେଟରେ ଥିବା ୧୧ଶହ ଟଙ୍କା ଛଡ଼ାଇ ନେଇଥିଲେ।

ଏହା ପରେ ତାଙ୍କ ଆଲମିରା ଚାବି ମାଗିଥିଲେ। ନଦେଲେ ଅନ୍ୟ ଘରେ ଶୋଇଥିବା ପିଲାଙ୍କୁ ହାଣି ଟିକଟିକ କରିଦେବୁ ବୋଲି ଧମକ ଦେଇଥିଲେ। ହତ୍ୟା ଧମକ ମିଳିବାରୁ ଭୟଭୀତ ମହିଳା ଜି.ଆର.ଏସ. ସୁଲତା ପଣ୍ଡା ଆଲମିରା ଚାବି ବଢ଼େଇ ଦେଇଦେଇଥିଲେ। ଆଲମିରା ଚାବି ମିଳିଯିବା ପରେ ଦୁର୍ବୃତ୍ତମାନେ ୧ ଲକ୍ଷ ୧୫ ହଜାର ଟଙ୍କା ଓ ୨୦୦ ଗ୍ରାମ ସୁନା ଲୁଟ କରି ଫେରାର ହୋଇଯାଇଥିଲେ।

ଅଭିଯୋଗ ଅନୁସାରେ ଭଦ୍ରକ ବ୍ଲକ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରୁଣ ପଣ୍ଡା ଗତକାଲି ଭତ୍ତା ଟଙ୍କା ବଂଟନ କରିବାକୁ ଯାଇଥିଲେ ଏବଂ ସେ ବଳକା ନଗଦ ଭତ୍ତା ଟଙ୍କା (ପାଖାପାଖି ୬୫ ହଜାର ଟଙ୍କା) ଘରକୁ ଫେରାଇ ଆଣି ଆଲମିରାରେ ରଖିଥିଲେ। ସେହିପରି ସୁଲତା ପଣ୍ଡାଙ୍କର ୫୦ ହଜାର ଟଙ୍କାକୁ ଦୁବୃର୍ତ୍ତମାନେ ଲୁଟ୍‌ କରିନେଇଛନ୍ତି।

ସମ୍ବନ୍ଧିତ ଖବର