ନୂଆପଡ଼ା: ମହିଳାଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା

ନୂଆପଡ଼ା: ନୂଆପଡ଼ା ଏସେସଜି ଗ୍ରୁପ୍‌ର ମହିଳାଙ୍କଠାରୁ ମଙ୍ଗଳବାର ଅପରାହ୍ନରେ ଦୁର୍ବୃତ୍ତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପ୍ରାୟ ଦୁଇଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଦରଲିମୁଣ୍ଡା ପଞ୍ଚାୟତର ଜୟ ମା’ ମହାଲକ୍ଷ୍ମୀ ନାମକ ସ୍ୱଂୟଙ୍ଗ ସହାୟିକା ଗୋଷ୍ଠୀର ୧୨ଜଣ ମହିଳା ନୂଆପଡ଼ା ଭାରତୀୟ ଷ୍ଟେଟବ୍ୟାଙ୍କ ଏଡିବି ଶାଖାରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ନିଜ ଗାଁକୁ ଯିବା ପାଇଁ ନୂଆପଡା ବସ୍‌ଷ୍ଟାଣ୍ଡରେ ବସ ଉପରକୁ ଚଢ଼ୁ ଥିଲେ। ଏହି ସମୟରେ ଆପାଚି ଗାଡ଼ିରେ ଦୁଇଜଣ ଦୁର୍ବୃତ୍ତ ମହିଳାଙ୍କ ପିଛା କରି ତାଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ଜରି ବ୍ୟାଗ ଛଡେଇ ନେଇ ଯାଇଥିଲେ।

ଘଟଣାସ୍ଥଳରେ ଥିବା କିଛି ଭଦ୍ର ବ୍ୟକ୍ତି ବାଇକଟିକୁ ପିଛା କରିଥିଲେ ହେଁ ଦୁର୍ବୃତ୍ତ ନୂଆପଡ଼ା ରେଳଷ୍ଟେସନ୍‌ ପରିସର ଭିତରକୁ ପଶି ଯାଇଥିଲେ। ରାସ୍ତା ନପାଇବାରୁ ବାଇକ୍‌ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଏହି ଘଟଣା ସମ୍ପର୍କରେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୃତ୍ତଙ୍କ ବାଇକ୍‌ ଠାରୁ ୧୦୦ ମିଟର ଦୂରରେ ଲୁଟି ନେଇଥିବା ଜରି ସହ ଏକ କଳା ରଙ୍ଗର ଚଷମା ପୁଲିସକୁ ମିଳିଛି। ଏହାକୁ ନେଇ ପୁଲିସ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର