ଭଦ୍ରକ ‘ଲକ୍‌ଡାଉନ’ର ତୃତୀୟ ଦିନ: ସହର ନୀରବ, ଗ୍ରାମାଞ୍ଚଳ ଖାଁ ଖାଁ

ଭଦ୍ରକ: କରୋନା ଭାଇରସରକୁ ମୁକାବିଲା କରିବା ପାଇଁ ସାମାଜିକ ମିଳାମିଶାରୁ ଦୂରତା ରକ୍ଷା କରିବାକୁ ସରକାର ପରାମର୍ଶ ଦେଉଛନ୍ତ। ଏହି କ୍ରମରେ ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ଲକ୍‌ ଡାଉନ କରାଯାଇଛି। ଗତ ୨୨ ତାରିଖଠାରୁ ଭଦ୍ରକ ସହର ଓ ଏହାର ୭ଟି ବ୍ଲକକୁ ଲକ୍‌ଡାଉନ୍‌ କରାଯାଇଛି। ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ କଡା କଟକଣା କରାଯାଇଛି। କେବଳ ମେଡିକାଲ ସେବା ପାଇଁ ବାହାରକୁ ଆସୁଥିବା ବେଳେ ସକାଳ ୬ଟାରୁ ସକାଳ ୯ଟା ଓ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକମାନଙ୍କୁ ବଜାର ଉପରକୁ ଆସିବାକୁ କୁହାଯାଇଛି। ଏଇ ସମୟରେ ସହରର ଲୋକଙ୍କର ଚଳାଚଳ କୋହଳ କରାଯାଉଛି। ସେଥିରେ ପୁଣି ଲୋକମାନଙ୍କୁ କମ୍‌ ସଂଖ୍ୟାରେ ସହର ଭିତରକୁ ଆସିବାକୁ କୁହାଯାଉଛି।

ନିଜର ଆବଶ୍ୟକ ସାମଗ୍ରୀ କିଣି ନିଜ ନିଜ ଘରକୁ ଯଥା ଶୀଘ୍ର ପଳାଇ ଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କରୋନା ଭାଇରସ୍‌ ଆକ୍ରାନ୍ତରୁ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସବୁସ୍ତରରେ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଲୋକମାନେ ଆଉ ଟିକେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। ସ୍ଥଳ ବିଶେଷରେ ଦେଖାଯାଉଛି ଯେ, କିଛି ଲୋକଙ୍କର କାମ ନଥାଇ ସହର ଭିତରକୁ ବୁଲିବାକୁ ପଳାଇ ଆସୁଛନ୍ତି। ଏଭଳି ଲୋକଙ୍କୁ ପୁଲିସ ଧରିବା ସହ ପଚରା ଉଚରା କରୁଛି।

ଗତକାଲି ସୁଦ୍ଧା ଭଦ୍ରକ ପୁଲିସ ଏଭଳି ଆଇନ୍‌ ଭଙ୍ଗକାରୀଙ୍କଠାରୁ ଏକ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଆଦାୟ କରିଛି। ୨୫ ଜଣ ବାଇକ୍‌ ଚାଳକଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଛି। ସେହିଭଳି ଆଇନକୁ ନମାନି ବିଭିନ୍ନ ସ୍ଥାନରେ ଦୋକାନ ଖୋଲିଥିବା ଅଭିଯୋଗରେ ୮ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି। ଏହା କେବଳ ଭଦ୍ରକ ସହରରାଞ୍ଚଳର ଘଟଣା ନୁହେଁ। ଭଦ୍ରକ ଜିଲ୍ଲାର ବାସୁଦେବପୁର, ଧାମରା, ଚାନ୍ଦବାଲି, ଆରଡି, ତିହିଡି, ପାଳିଆ, ପୀରହାଟ, ଘଂଟେଶ୍ୱର, ରାଣୀତାଲ, ରାନ୍ଦିଆ, ବରପଦା, ବନ୍ତ, ଆଗରପଡା, ଭଣ୍ଡାରିପୋଖରୀ, ମଂଜୁରୀରୋଡ, ଧାମନଗର, ଅସୁରାଳି, ଧୂଷୁରୀ ଆଦି ବଜାର ସବୁ ବନ୍ଦ କରାଯାଇଛି। ସେଠାରେ ମଧ୍ୟ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଇଛି।

କରୋନା କଟକଣା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସବୁ ଦିଗରୁ ସହରକୁ ସିଲ୍‌ କରି ଦିଆଯାଇଛି। ବସ୍‌ ଚଳାଚଳ, ଟ୍ରେନ୍‌ ଚଳାଚଳରେ ରୋକ୍‌ ଲାଗିଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଭଦ୍ରକରେ ମଧ୍ୟ ଲୋକମାନଙ୍କୁ ଏଇ ନିୟମ ମାନି ଚଳିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଭଦ୍ରକ ସହର ଆଜି ପୂରା ଖାଁ ଖାଁ ଲାଗୁଛି। ନୂଆ ବସ୍‌ ଷ୍ଟାଣ୍ଡ, ବନ୍ତଛକ ବସ୍‌ ଷ୍ଟାଣ୍ଡ ଖାଁ ଖାଁ ଥିଲା। ମେଡିକାଲ ଛକରେ କିଛି ଲୋକଙ୍କର ଯିବାଆସିବା କରୁଥିଲେ। ସଂପୂର୍ଣ୍ଣ ସହର ଶୁନ୍‌ଶାନ୍‌ ପରିଲକ୍ଷିତ ହେଉଥିଲା।

ସମ୍ବନ୍ଧିତ ଖବର