ପୁରୀ: ଧାଡି ଦର୍ଶନ ନେଇ ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣା ବାବଦରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୋମବାର ମୁହଁ ଖୋଲିଛନ୍ତି। ଏହି ଘଟଣାକୁ ମହାରାଜ ଦିବ୍ୟସିଂହ ଦେବ ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ଆଶା କରିଛନ୍ତି, ସରକାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ । ବାସ୍ତବିକ ଯିଏ ଦୋଷୀ ତାକୁ ସାମ୍ନାକୁ ଅଣାଯାଉ। ଘଟଣାର ଉପଯୁକ୍ତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ । ଏହାର ପୁନରାବୃତ୍ତି ଯେମିତି ନ ହେବ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର । ଶ୍ରୀକ୍ଷେତ୍ରରେ ଶାନ୍ତି ବଜାୟ ରଖିବା ଲାଗି ସମସ୍ତେ ଉଦ୍ୟମ କରନ୍ତୁ .ବୋଲି ଗଜପତି ନିବେଦନ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ୪ ଦିନ ତଳେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ଡାକରା ବେଳେ ଦେଖାଯାଇଥିବା ହିଂସାକାଣ୍ଡ ନେଇ ପୁଲିସ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ଭଙ୍ଗାରୁଜା କରିଥିବା ସମସ୍ତ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଘଟଣା ଦିନ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା ବୋଲି ଏସପି ଡ. ସାର୍ଥକ ଷଡଙ୍ଗୀ ସୂଚନା ଦେଇଥିଲେ। ତେଣୁ କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିରେ ୪ ଜଣ କନଷ୍ଟେବଲ ଓ ଜଣେ ହାବିଲଦାର ସାମିଲ ଅଛନ୍ତି। ସେମାନେ ହେଲେ ବିଶ୍ୱନାଥ ମିଶ୍ର (ହାବିଲଦାର), ସତ୍ୟବାନ ସ୍ବାଇଁ (କନଷ୍ଟେବଲ), ନାଗାର୍ଜୁନ ପରିସ (କନଷ୍ଟେବଲ), ପପିନା ବେହେରା (କନଷ୍ଟେବଲ) ଓ ସୁମନ ଗୋଚ୍ଛାୟତ (କନଷ୍ଟେବଲ)।