ବାଇକ ଚଳାଇ ଶଳା-ଭିଣୋଇ କରୁଥିଲେ ଟିକ୍‌ଟକ୍‌ ଭିଡିଓ: ଭିଣୋଇର ଚାଲିଗଲା ଜୀବନ

ଭୁବନେଶ୍ୱର: ଦୁର୍ଘଟଣାରେ ଭିଣୋଇଙ୍କ ଜୀବନ ଚାଲିଗଲା, ଶଳାର ଜୀବନ ଅଳ୍ପକେ ବର୍ତ୍ତିଗଲା । ତାରା ତାରିଣୀ ଦର୍ଶନ ସାରି ଗୋଟିଏ ବାଇକରେ ଫେରିବା ବେଳେ ରାସ୍ତାରେ ହୋଇଥିଲା ଦୁର୍ଘଟଣା । ଯେଉଁଥିରେ ବାଇକ ଚଳାଉଥିବା ଭିଣୋଇର ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଶଳା ଗୁରୁତର ହୋଇଛନ୍ତି । ତେବେ ରାସ୍ତା ଉପରେ ଚଳନ୍ତା ବାଇକରେ ସେଲ୍ଫି ଓ ଟିକ୍‌ଟକ୍‌ କରିବା ଫଳରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ଗଞ୍ଜାମ ଗୋଳନ୍ଥଥା ଥାନା ହଳଦିଆପଦର ଗାଁର ଶିବଶଙ୍କର ସାହୁ (ଭିଣୋଇ) ଏବଂ ଶିବ ପାତ୍ର (ଶଳା) ଗତକାଲି ତାରାତାରିଣୀ ବୁଲିବାକୁ ବାଇକରେ ଯାଇଥିଲେ । ଆଉ ଠାକୁର ଦର୍ଶନ ସାରି ଫେରିବା ବାଟରେ ଟିକଟକ କରିବା ସହ ରାସ୍ତା ସାରା ମୋବାଇଲରେ ସେଲ୍ଫି ନେଇଥିଲେ । ବାଇକ ପଛପଟେ ଶଳା ବସି କରୁଥିବା ଟିକଟକରେ ଭିଣୋଇ ମଝିରେ ମଝିରେ ଆକ୍ସନ ବି କରୁଥିଲେ । ଏମିତି ୮ରୁ ୯ଟି ଭିଡିଓ କରି ପୋଷ୍ଟ କରିଥିବା ବେଳେ ଅନ୍ୟମନସ୍କରେ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ଦେଇଥିବା ସନ୍ଦେହ କରାଯାଉଛି ।

କାରଣ ଦୁର୍ଘଟଣା ପୂର୍ବରୁ ଭାଇରାଲ ହୋଇଥିବା ସବୁତକ ଟିକଟକ ଭିଡିଓରେ ଶଳା ଭିଣୋଇ ଦ୍ରୁତ ଗତିରେ ଗାଡି ଚଲାଇବା ସମୟରେ ହିଁ ଟିକଟକ କରିଥିଲେ । ଆଉ ଏହି ଦୁର୍ଘଟଣାଜନିତ ମୁତ୍ୟୁର କାରଣ ଟିକଟକ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଦୁର୍ଘଟଣାର ପ୍ରକୃତ କାରଣ କଣ ହୋଇଥାଇ ପାରେ ବୋଲି ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର