ମାଲକାନଗିରି ଜିଲ୍ଲା ହସ୍‌ପିଟାଲରେ ଟିକଟିକ: ଭିଡିଓ ଭାଇରାଲ ଘଟଣାରେ ୩ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକଟିକ କରିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଜିତ କୁମାର ମହାନ୍ତି ଘଟଣା ସହିତ ସଂପୃକ୍ତ ଥିବା ୩ ଜଣ ନର୍ସଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସିଡିଏମ୍‌ଓ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୋଟିସର ଜବାବ ଦେବାକୁ କହିଛନ୍ତି। ଏଥି ସହିତ ସେ କହିଛନ୍ତି, ଜବାବ ମିଳିବା ପରେ ୩ ଜଣ ନର୍ସଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ ଟିକଟକକୁ ନେଇ ସାରା ଦେଶର ଯୁବପିଢ଼ୀଙ୍କ ମଧ୍ୟରେ ଉତ୍ସାହ ରହିଛି। ମାଲକାନଗିରି ଜିଲ୍ଲା ହସ୍‌ପିଟାଲର ଏସ୍‌ଏନ୍‌ସିୟୁ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏଠାରେ କାର୍ଯ୍ୟରତ ୩ ଜଣ ନର୍ସ ମଜା ମଜଲିସ୍‌ରେ ମାତି କିଛି ଦିନ ପୂର୍ବରୁ ଜଣେ ନବଜାତର ଭିଡିଓ ସୁଟିଂ କରି ଟିକଟକ କରିଥିଲେ। ଏହା ପରେ ସେମାନେ ଭିଡ଼ିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।

ଏସ୍‌ଏନ୍‌ସିୟୁରେ ନବଜାତଙ୍କୁ ଖାଲି ହାତରେ ଛୁଇଁବା ନିୟମ ନାହିଁ। ବିନା ଗ୍ଲୋଭ୍‌ସରେ ଧରିବା ମଧ୍ୟ ଉଚିତ୍‌ ନୁହେଁ। ମାତ୍ର ଟିକଟକ ଭିଡିଓରୁ ଯାହା ଜଣାପଡ଼ିଛି, ନର୍ସମାନେ ନବଜାତକୁ ଚୁମ୍ବନ ମଧ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର