ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ସ୍ୱର ଉଠିଛି। ଗାଁ ଲୋକଙ୍କର ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ଘଟଣା ପରେ ମାଓବାଦୀମାନେ ପ୍ରତିଶୋଧପରାୟଣ ହୋଇଛନ୍ତି। ହନ୍ତାଳଗୁଡ଼ା-ଯୋଡ଼ାଆମ୍ବ ଅଞ୍ଚଳରେ ସରକାରୀ କାମକୁ ବିରୋଧ କରିବା ପାଇଁ ମାଓବାଦୀମାନେ ଗାମବାସୀଙ୍କୁ ଉସୁକାଇବାରୁ ଆକ୍ରମଣର ଶିକାର ହୋଇଛନ୍ତି। ଜବାବରେ ମାଓବାଦୀମାନେ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏଥି ସହିତ ମାଓବାଦୀମାନେ କିଛି ମୋଟର ସାଇକେଲ ମଧ୍ୟ ପୋଡ଼ି ଦେଇଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ ମାଓବାଦୀମାନେ ୩ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି। ଏହା ପରେ ଗ୍ରାମବାସୀ ସେମାନଙ୍କ ପାରମ୍ପରିକ ଅସ୍ତ୍ର ଧରି ବାହାରି ଆସିଛନ୍ତି। ବିରୋଧରେ ତିନି ଗାଁର ଆଦିବାସୀମାନେ ଏକାଠି ହୋଇଛନ୍ତି। ଅନ୍ୟପଟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ପହଞ୍ଚି ଥିବା ଜଣାପଡ଼ିଛି।
ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ କହିଛନ୍ତି, ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପରମେଟ୍ଲା ଫାଣ୍ଡି ଅଞ୍ଚଳରେ ଥିବା ଜନ୍ତୁରାଇ ଗାଁକୁ ପ୍ରାୟ ୨୫ ଜଣ ସଶସ୍ତ୍ର ମାଓବାଦୀ ପ୍ରବେଶ କରିଥିଲେ। ସେମାନେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ ଯେ, ସରକାରୀ ନିର୍ମାଣ କାମକୁ ବିରୋଧ କରନ୍ତୁ। ମାତ୍ର ମାଓବାଦୀଙ୍କ ପ୍ରସ୍ତାବକୁ ଗ୍ରାମବାସୀ ସ୍ୱୀକାର କରି ନଥିଲେ। ଓଲଟା ଗ୍ରାମବାସୀ କହିଥିଲେ, ସରକାର ବିକାଶମୂଳକ କାମ କରୁଛନ୍ତି। ମାଓବାଦୀମାନେ ବିକାଶ ନାଁରେ ବିନାଶ କରୁଛନ୍ତି। ଗ୍ରାମବାସୀଙ୍କୁ କିଛି ଦେଉ ନାହାନ୍ତି। ଗ୍ରାମବାସୀଙ୍କ ଏଭଳି କଥାରେ ମାଓବାଦୀମାନେ ଉତ୍ତେଜିତ ହୋଇଥିଲେ। ଫଳରେ ଜନ୍ତୁରାଇ ଗାଁରେ ବହୁ ସମୟ ଧରି ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।