ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ମାଲକାନଗିରି: ମାଲକାନଗିରି ସଦର ମହୁକୁମାର ଜେଲ ରୋଡରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ପ୍ରତାପ ମହାପାତ୍ର ଏବଂ ତାଙ୍କର ପରିବାର ଶୋଇଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକ ନିଦରୁ ଉଠି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଏହାପରେ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସୀମାଞ୍ଚଳ ପାଢୀଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ତେବେ ନିଆଁ ଲିଭିବା ପୂର୍ବରୁ ଘରର ସମସ୍ତ ସଂପତ୍ତି ନିଆଁରେ ପୋଡି ନଷ୍ଟ ହୋଇସାରିଥିଲା। ଘରେ ଥିବା ଟିଭି, ଫ୍ରିଜ, ଧାନ, ଚାଉଳ, ଆସବାବପତ୍ର ଇତ୍ୟାଦି ଦାମି ଜିନିଷ ନିଆଁରେ ପୋଡି ପାଉଁଶ ହୋଇସାରିଥିଲା। ମଶା ଧୂପ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଘରେ ପ୍ରବଳ ମଶା ଯୋଗୁଁ ମଶା ଧୂପ ଲଗାଇ ପରିବାର ଲୋକେ ଶୋଇଥିଲେ। ତେବେ ପାଖରେ ଥିବା ଏକ କନାରେ ନିଆଁ ଲାଗିଯିବା ଫଳରେ ତାହା ସଂପୂର୍ଣ୍ଣ ଘରକୁ ବ୍ୟାପିଯାଇଥିଲା।

ସମ୍ବନ୍ଧିତ ଖବର