ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର:ହାତ, ଗୋଡ଼ ବାନ୍ଧି ଅଚେତ ଅବସ୍ଥାରେ ଫୋପାଡ଼ି ଦେଇଥିଲେ ଦୁର୍ବୃତ୍ତ

ମାଲକାନଗିରି/ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସିଙ୍ଗେଲବାଚ୍ଛା ଗ୍ରାମର ରାସ୍ତା କଡ଼ରୁ ହାତ, ଗୋଡ଼ ବନ୍ଧା ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ଏଠାକୁ କିଭଳି ଆସିଲେ ଏବଂ କିଏ ତାଙ୍କ ହାତ, ଗୋଡ଼ ବାନ୍ଧିଲା ସେନେଇ କିଛି ସ୍ପଷ୍ଟ ହୋଇପାରୁ ନାହିଁ। ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ନାବାଳିକା ଜଣକ ଅଚେତ ହୋଇଯିବାରୁ ମରି ଯାଇଥିବା ଭାବି ଦୁର୍ବୃତ୍ତ ଚାଲି ଯାଇଥିବା ନେଇ ଚର୍ଚ୍ଚା ହେଉଛି। ଘଟଣା ପଛର ରହସ୍ୟ ଜଣାପଡ଼ୁ ନଥିବା ବେଳେ ପ୍ରେମ ସଂପର୍କକୁ କେନ୍ଦ୍ର କରି ଏମିତି ହୋଇଥିବା ପୁଲିସ ଅନୁମାନ କରୁଛି। ପ୍ରାଥମିକ ଚିକିତ୍ସା ପରେ ନାବାଳିକା ଜଣକ ସୁସ୍ଥ ଅଛନ୍ତି। ତେବେ ତାଙ୍କ ସହ କ’ଣ ହୋଇଥିଲା ସେନେଇ ମୁହଁ ଖୋଲୁ ନାହାନ୍ତି। ଯାହାଫଳରେ ପୁଲିସର ତଦନ୍ତ ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଗାଁର କିଛି ଲୋକ ରାସ୍ତା କଡ଼ରେ ନିସ୍ତେଜ ଅବସ୍ଥାରେ ଜଣେ ନାବାଳିକା ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିବା ବେଳକୁ ହାତ, ଗୋଡ଼ ଓ ମୁହଁ ବନ୍ଧା ହୋଇଥିଲା। ତେଣୁ ମରିଯାଇଥିବା ନେଇ ଲୋକେ ପ୍ରଥମେ ଅନୁମାନ କରିଥିଲେ। ତେବେ ଶ୍ୱାସକ୍ରିୟା ଚାଲିଥିବାରୁ ପାଣି ଛିଞ୍ଚିବାରୁ ନାବାଳିକାଙ୍କ ଚେତା ଫେରିଥିଲା। ପୁଲିସ ପହଞ୍ଚି ନାବାଳିକାଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତି କରିଛି। ନାବାଳିକା ସହ ଦୁଷ୍କର୍ମ ହୋଇ ନାହିଁ। ପ୍ରେମ ସଂପର୍କକୁ କେନ୍ଦ୍ର କରି କେହି ହାତ, ଗୋଡ଼ ବାନ୍ଧି ରାସ୍ତା କଡ଼ରେ ଫୋପାଡି ଦେଇଥିବା ପୁଲିସ ଅନୁମାନ କରୁଛି। ଘଟଣା ସଂପର୍କରେ ନାବାଳିକା ମୁହଁ ଖୋଲୁ ନଥିବାରୁ ପୁଲିସର ଅଡ଼ୁଆ ବଢ଼ି ଯାଇଛି। ମାଥିଲି ଥାନା ଠାରୁ ୨କିଲୋମିଟର ଦୂରରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣା ସ୍ଥଳରୁ ଅଳ୍ପ ଦୂରରେ ହିଁ ତାଙ୍କ ଘର ବୋଲି ଗ୍ରାମବାସୀ କହିଛନ୍ତି। ଘଟଣାର ତଦନ୍ତ କରି ନାବାଳିକାଙ୍କ ସହ ଏମିତି ବର୍ବରତା କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର