୩୯୦କିଲୋ ଗଂଜେଇ ଜବତ,୬ ଗିରଫ

ମାଲକାନଗିରି/କାଲିମେଳା/: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ଏବଂ ଓର୍କେଲ ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମୋଟ ୩୯୦ କିଲୋ ଗଂଜେଇ ଜବତ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଲରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଛି। ଏସପି ଜଗମୋହନ ମୀନାଙ୍କ କହିବା ଅନୁଯାୟୀ ପଡିଆ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ କମାରଗୁଡା ଏବଂ କାଲଦାପାଲୀ ମଧ୍ୟରେ ଗୋଟିଏ ଅଜଣା ବଲେରୋ ଛିଡା ହୋଇଛି। ଏହାପରେ ପୁଲିସ ପହଞ୍ଚି ଗାଡିକୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗାଡିରୁ ୧୬୫କିଲୋ ଗଞ୍ଜେଇ ବାହାରିଥିଲା। ଗାଡିରେ ବସିଥିବା ଚିତ୍ରକୋଣ୍ଡା ଅଂଚଳର ଲାଛା ଖରା, ଶ୍ରୀନୁ ଖରା, ପର୍ଶୁରାମ ଖରା ଏବଂ ସଦା ଖିଲକୁ ପୁଲିସ ଘଟଣା ସ୍ଥଳରୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରା ବେଳେ ପୁଲିସ ଜାଣିପାରିଥିଲା ଯେ ଏହି ଗଂଜେଇକୁ ବିହାରକୁ ପଠାଯାଇଥିଲା।

ଜଣେ ବ୍ୟକ୍ତି ସେମାନଙ୍କୁ ଘଟଣା ସ୍ଥଳକୁ ଆସି ଟଂକା ଦେଇ ଗଂଜେଇ ଚାଲାଣ କରିବା ପାଇଁ କହିଥିଲା। ପୁଲିସ ପକ୍ଷରୁ ବିହାରର ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସେହିପରି ଓର୍କେଲ ଥାନା ପୁଲିସ ପିଲାକୁସୁମି ଏବଂ ହାତୀଆମ୍ବ ନିକଟରେ ଗାଡି ଚେକିଂ କରୁଥିବା ବେଳେ ୩ଟି ମଟର ସାଇକେଲ କ୍ଷୀପ୍ର ଗତିରେ ଯାଉଥିବା ଲକ୍ଷ୍ୟ କରିଥିଲେ। ବାଇକ ଗୁଡିକୁ ପିଛା କରି ପୁଲିସ ଅଟକାଇଥିଲା। କୋଇଲିଗୁଡାର ରଘୁ ଭୁମିଆ ଏବଂ ମାଥିଲି ଥାନା ଅନ୍ତର୍ଗତ ପାକନାମୁଣ୍ଡାର ପ୍ରୀତମ ଗୋଟେକୁ ପୁଲିସ କାବୁ କରିପାରିଥିବା ବେଳେ ରଘୁ ନାମକ ବ୍ୟକ୍ତି ମଟର ସାଇକେଲ ଛାଡି ଦେଇ ଜଂଗଲ ଭିତରକୁ ଦୌଡି ପଳାଇବାରେ ସକ୍ଷମ ହୋଇଥିଲା। ବାଇକ ଯାଞ୍ଚ କରିବାରୁ ସେଥିରୁ ମୋଟ ୨୨୫ କିଲୋ ଗଂଜେଇ ବାହାରିଥିଲା। ବାଇକ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର