ମାଲକାନ୍‌ଗିରି: ବାଲିମେଳା ଜଳଭଣ୍ଡାରର ୪ଟି ଗେଟ୍‌ ଖୋଲିଲା, ନଦୀରେ ବଢ଼ୁଛି ଜଳସ୍ତର

ମାଲକାନଗିରି: ‘ଡାଏ’ ଘୂର୍ଣ୍ଣିଝଡ ମାଲକାନଗିରି ଜିଲ୍ଲାର ଅବସ୍ଥା ସଙ୍ଗୀନ କରି ଦେଇଛି। ପ୍ରବଳ ବର୍ଷା ହେତୁ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ପ୍ରମୁଖ ନଦୀ ଫୁଲି ଉଠିଛି। ଫଳରେ ବାଲିମେଳା ଜଳଭଣ୍ଡାର ସଂପୂର୍ଣ୍ଣ ରୂପେ ଭରିଯିବା ହେତୁ ଏହାର ୪ଟି ଗେଟ୍‌ ଖୋଲାଯାଇଛି। ମିଳିଥିବା ସୂଚନା ମୁତାବକ,ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୫୧୬ ହୋଇଥିବା ବେଳେ ଜଳସ୍ତର ୧୫୧୫ ଫୁଟରେ ପହଞ୍ଚବାରୁ ପ୍ରଶାସନ ପକ୍ଷରୁ ୪ଟି ଗେଟ୍‌ ଖୋଲିବା ଲାଗି ନିଷ୍ପତ୍ତି ହୋଇଥିଲା। ପ୍ରତି ସେକେଣ୍ଡରେ ବର୍ତ୍ତମାନ ୨୦,୦୦୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଗେଟ୍‌ ଖୋଲାଯିବା ପୂର୍ବରୁ ତଳି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯିବା ସହ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ପୋଟେରୁ ଓ ଗୁରୁପ୍ରିୟା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗୁରୁପ୍ରିୟା ସେତୁର ବେରିଂ ଲେଭଲଠାରୁ ୧ ଫୁଟ୍‌ ତଳେ ପାଣି ରହିଛି। ସେହିପରି ଚିତ୍ରକୋଣ୍ଡା ଜାନବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି ପଶିଯାଇଛି। ଅନ୍ୟପକ୍ଷରେ ପୋଟୋରୁ ନଦୀରେ ବର୍ଷା ଜଳ ଆସି ପୋଟେରୁ ଗାଁ ଜଳମଗ୍ନ ହୋଇପଡ଼ିଛି। ବାଲିମେଳା ଜଳଭଣ୍ଡାରର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ ଅନୁସାରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଏହା ଉପରେ ଦୃଷ୍ଟି ରଖାଯାଉଛି।

ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ୭ଦିନ ଲାଗି ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର