ମାଲକାନଗିରିରେ ୪୨ ଡିଗ୍ରି ଟପିଲା ପାରଦ

ଜଳଛତ୍ର ଖୋଲିବା ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଠାରୁ ଗ୍ରୀଷ୍ଣର ପ୍ରଚଣ୍ଡ ତାତିରେ ଲୋକେ ହନ୍ତସନ୍ତ ହେଲେଣି। ଦିନ ୧୦ଟା ବାଜିଗଲେ ପାରଦ ୪୦ରେ ପହଞ୍ଚିଯାଉଛି। ଦିନ ଏଗାରଟା ହେଲେ ଲୋକେ ଆଉ ଘରୁ ପଦାକୁ ବାହାରୁ ନାହାନ୍ତି। ଜରୁରୀ କାମ ଥିଲେ ହିଁ ଲୋକେ ଘରୁ ପଦାକୁ ବାହାରୁଛନ୍ତି। ଖରାରୁ ବର୍ତିବା ପାଇଁ ଲୋକେ ହାତରେ ଛତା ଏବଂ ଓଦା ଗାମୁଛା ନେଉଥିବା ଦେଖିବାକୁ ମିଳିଛି। ମାର୍ଚ୍ଚ ମାସ ଶେଷ ସପ୍ତାହରେ ପାରଦ ୪୦ ଟପିଥିବା ବେଳେ ଆଗକୁ ଆହୁରି ତିନି ମାସ କିପରି କାଟିବେ ବୋଲି ଲୋକେ ଏବେ ଠାରୁ ଚିନ୍ତାରେ ପଡିଲେଣି। ଦିନ ବଢିବା ସାଂଗକୁ ଗରମ ମଧ୍ୟ ବଢୁଥିବା ବେଳେ ଲୋକେ ଘରେ ଏସି କିମ୍ବା ଫ୍ୟାନ ଦେଇ ରହିବାକୁ ପଡୁଛି। ବାଇକ୍ ଗୁଡିକରେ ଲୋକେ ମୁହଁରେ କପଡା ବାନ୍ଧି ଯାଉଥିବା ଦେଖିବାକୁ ମିଳିଛି। ରାତିରେ ମଧ୍ୟ ଗରମରୁ ତ୍ରାହୀ ମିଳୁ ନାହିଁ। ତେବେ ଗରମକୁ ଆଖିଆଗରେ ରଖି ବ୍ୟବସାୟୀମାନେ ପଇଡ଼ ଏବଂ ବେଶ ଥଣ୍ଡାପାନୀୟ ଦୁଇ ଗୁଣା ଦାମ୍ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ବେଧଡକ ଭାବେ ବିଭିନ୍ନ ବେନାମି କମ୍ପାନୀର ଥଣ୍ଡା ପାନୀୟ ବଜାରରେ ମିଳୁଛି। ଲୋକେ କମ୍ ଦାମରେ ଏଗୁଡିକ କିଣି ପିଉଥିବା ବେଳେ ଏହାର ପାର୍ଶ୍ବ ପ୍ରତିକ୍ରିୟା ରହିଥିବା କୁହାଯାଉଛି। ସେହିପରି ବଜାରରେ କାକୁଡି, ତରଭୁଜ, ମିଶ୍ରି ପାଣି, ଲେମ୍ବୁ ପାଣି ଇତ୍ୟାଦି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଲୋକେ ଦୂରସ୍ଥାନକୁ ଗସ୍ତ କଲାବେଳେ ପ୍ରାୟତଃ କାକୁଡି ଏବଂ ତରଭୁଜ ଖାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ଜଳଛତ୍ର ଖୋଲାଯାଇନଥିବା ବେଳେ ତୁରନ୍ତ ଜଳଛତ୍ର ଖୋଲିବା ପାଇଁ ଦାବି ହୋଇଛି। ସେହିପରି ଅଂଶୁଘାତ ପାଇଁ ମେଡିକାଲରେ ସ୍ବତନ୍ତ୍ର କୋଠରି ତିଆରି କରିବା ପାଇଁ ଦାବି ହୋଇଛି। ଲୋକଙ୍କୁ ଏବେ ଠାରୁ ଅଂଶୁଘାତ ପାଇଁ ସଚେତନ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି। ତେବେ ଆଗକୁ ଆହୁରି ଗରମରେ ଲୋକେ ହନ୍ତସନ୍ତ ହେବା ପୂର୍ବରୁ ପ୍ରଶାସନ ତରଫରୁ ଜଳଛତ୍ର ଖୋଲିବା ସହ ବିଦ୍ୟୁତ ବିଭ୍ରାଟକୁ ରୋକିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର