୫୦ଲିଟର ବିଦେଶୀ ମଦ ଜବତ, ୨ଗିରଫ

ଖଇରପୁଟ: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ପୁଲିସ ୨ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ୫୦ଲିଟର ବିଦେଶୀ ମଦ ଓ ଗୋଟିଏ ବାଇକ୍ ଜବତ କରିଛି। ଗିରଫ ବ୍ୟକ୍ତି ମାନେ କୁଡୁମୁଲୁଗୁମ୍ମା ଗ୍ରାମରେ ଥିବା ବିଦେଶୀ ମଦ ଦୋକାନର କର୍ମଚାରୀ ପ୍ରତାପ କୁମାର ଚୌଧୁରୀ ଓ ଦିଲ୍ଲୀପ କୁମାର ଗୁପ୍ତା ବୋଲି ପୁଲିସ ସୂଚନା ଦେଇଛି। ଉଭୟ ବିହାର ରାଜ୍ୟର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ପ୍ରତାପ କୁମାର ଚୌଧୁରୀ ଓ ଦିଲ୍ଲୀପ କୁମାର ଗୁପ୍ତା ଏକ ବାଇକ୍(ଓଡି ୧୦ଏ ୦୨୧୨) ଯୋଗେ ୫୦ଲିଟର ବିଦେଶୀ ମଦ ଚୋରାଚାଲାଣ କରୁଥ‌ିଲେ। ଏହି ସମୟରେ ମୁଦୁଲିପଡା ଥାନା ଏସ୍ଆଇ ଶଶି ସତନାମୀଙ୍କ ନେତୃତ୍ବରେ ଏକ ଟିମ୍ ପାଟ୍ରୋଲିଂ କରୁଥିଲେ। ଖଇରପୁଟ ଦାମଲଦେଇ ନଦୀ ନିକଟରେ ପୁଲିସ ଏହି ୨ଜଣଙ୍କୁ ଅଟକାଇ ଯାଞ୍ଚ କରିବା ପରେ ବାଇକ୍‌ରେ ବିଦେଶୀ ମଦ ରହିଥିବା ଜଣାପଡିଥିଲା। ଏହାପରେ ପୁଲିସ ଉଭୟଙ୍କୁ ଗିରଫ କରିବା ସହ ବାଇକ୍‌ ଓ ମଦ ଜବତ କରି ଥାନାକୁ ଆଣିଥିଲେ। ଏନେଇ ମୁଦୁଲିପଡା ଥାନାରେ କେଶ୍ ନଂ-୭/୧୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏଏସ୍ଆଇ ମହେଶ୍ବର ବୁଡୁବାଡେ କହିଛନ୍ତି।

ସମ୍ବନ୍ଧିତ ଖବର