୮ ବଣ୍ଡା ଯୁବତୀ ଉଦ୍ଧାର

ଖଇରପୁଟ/ମାଲକାନଗିରି,୬/୪(ଇମିସ): ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଚାଲାଣ ସମୟରେ ୮ଜଣ ବଣ୍ଡା ଯୁବତୀଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ପୁଲିସ। ତେବେ ଏହି ଯୁବତୀ ମାନଙ୍କୁ ନେଇ ଯାଉଥିବା ଦଲାଲ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି। ଯୁବତୀଙ୍କ ପରିଚୟ ଓ ଠିକଣା ପଚାରିବା ପରେ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯିବ ବୋଲି ଗୋବିନ୍ଦପାଲ୍ଲୀ ଫାଣ୍ଡି ଏସଆଇ କହିଛନ୍ତି।
ଏଭଳି ଘଟଣା ଏହି ଅଞ୍ଚଳରେ ଆଦୌ ନୂଆ ନୁହେଁ। ନିୟମିତ ଭାବେ ଟଙ୍କା ରୋଜଗାରର ପ୍ରୋଲଭନ ଦେଖାଇ ଦଲାଲମାନେ ଦୁର୍ଗମ ଅଞ୍ଚଳର ଅଶିକ୍ଷିତ ଯୁବତୀଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ବହୁ ସମୟରେ ଏହି ନିରୀହ ଯୁବତୀମାନେ ନିର୍ଯାତନାର ଶିକାର ହେଉଥିବା ବି ଦେଖିବାକୁ ମିଳେ। ବାରମ୍ବାର ଚଢ଼ାଉ ସତ୍ୱେ ଏହା କମୁ ନାହିଁ। ସେହିପରି ମାଲକାନଗିରି ସହର ସମେତ ଆଖପାଖ ଅଞ୍ଚଳରେ ବି ବହୁ ସଂଖ୍ୟାରେ ବଣ୍ଡା ଯୁବତୀ ଅଳ୍ପ ପାରିଶ୍ରମିକ ପାଇ କଠିନ ପରିଶ୍ରମ କରୁଥିବା ଦେଖାଯାଇଛି। ଖଇରପୁଟ ବ୍ଲକର ଅଣ୍ଡ୍ରାହାଲ ଓ ମୁଦୁଲିପଡା ପଞ୍ଚାୟତର ଶତାଧିକ ଯୁବତୀ ଏବେ ବି ନିଖୋଜ ଥିବା ଏକ ଆକଳନରୁ ପ୍ରକାଶ। ବଣ୍ଡା ଯୁବତୀଙ୍କ ସଂଖ୍ୟା ଘାଟିରେ ହ୍ରାସ ପାଉଥିବାରୁ ସ୍ଥିତି ଚିନ୍ତା ଜନକ। ବଣ୍ଡା ଯୁବତୀ ଚାଲାଣ ରୋକିବାକୁ ପ୍ରଶାସନ ତରଫରୁ ଠୋସ୍‌ ପଦକ୍ଷେପ ଗ୍ରହଣ କରାନଗଲେ ଏହି ଆଦିମ ଜନଜାତି ଧିରେ ଧିରେ ଲୋପ ପାଇଯିବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର