ନକ୍ସଲ ଦମନରେ ପୁଣି ସଫଳତା:ଏନକାଉଣ୍ଟରରେ ୮ ନିହତ 

ମାଲକାନଗିରି: ମହାରାଷ୍ଟ୍ରର ଗଡଚରେଲି ଏନକାଉଣ୍ଟର ପରେ ଛତିଶଗଡ ପୁଲିସକୁ ମିଳିଛି ବଡ ସଫଳତା। ଆଜି ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନ ସୀମାନ୍ତ ଛତିଶଗଡ ଭିତରେ ପଶି ୮ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଛନ୍ତି। ଏହି ଅପରେସନରରେ ୪ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗୁଇନ୍ଦା ତଥ୍ୟକୁ ଆଧାର କରି ଗ୍ରେହାଉଣ୍ଡ ଯବାନ ସୀମାନ୍ତ ଛତିଶଗଡର ୧୫କିଲୋମିଟର ଭିତରକୁ ଅପରେସନ ପାଇଁ ପଶିଥିଲେ। ବିଜାପୁର ଜିଲ୍ଲା ଆଇପେଣ୍ଟା ଅଂଚଳରେ କ୍ୟାମ୍ପ କରିଥିବା ନକ୍ସଲଙ୍କ ଚାରିପଟୁ ଘେରିଯାଇ ହମଲା କରିଥିଲେ। ପ୍ରାୟ ୨ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ସାମ୍ନା କରିନପାରି ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ସର୍ଚ୍ଚ ଅପରେସନ ସମୟରେ ଯବାନ ମାନଙ୍କୁ ୬ଜଣ ମହିଳା ଓ ୨ ଜଣ ପୁରୁଷ ମାଓବାଦୀଙ୍କ ଶବ ମିଳିଥିଲା। ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସମେତ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀରେ ଗୋଟିଏ ୩୦୩, ଗୋଟିଏ ରିଭରବଲ, ୪ଟି ଏସବିବିଏଲ, ୬ଟି ରକେଟ ଲଞ୍ଚର, ୩ଟି ଗ୍ରେନେଡ, ନକ୍ସଲ ପୋଷାକ ସମେତ ଦୈନନ୍ଦିନ ସାମଗ୍ରୀ ରହିଛି।
ପୂର୍ବରୁ ଗତ ମାର୍ଚ୍ଚ ମାସ ୨ତାରିଖ ଦିନ ବି ଗ୍ରେହାଉଣ୍ଡ ଯବାନ ବିଜାପୁର ଜିଲ୍ଲାର କାଂକେର ପୂଜାରୀ ଅଂଚଳରେ ପଶି ୧୦ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲେ। ଆଜି ପୁଣି ୮ଜଣ ନକ୍ସଲ ନିହତ ହେବା ବଡ ସଫଳତା ବୋଲି କୁହାଯାଉଛି। ଛତିଶଗଡ ପୁଲିସ ଏହି ଅପରେସନରେ ସାମିଲ ଥିବା କୁହାଯାଉଛି। ଘଟଣା ସ୍ଥଳରୁ ଶବ ପୁଲିସ ମୁଖ୍ୟାଳୟ ନେବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଇଥିଲା। ଚାରି ଆହତ ଯବାନ ଏବଂ ୮ ଜଣ ନକ୍ସଲଙ୍କ ଶବ ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହାରୁ ପୁଣି ଆହତ ଯବାନଙ୍କୁ ରାୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବିଜାପୁର ଏସି ପ୍ରକାଶ କରିଛନ୍ତି। ତେବେ ଘଟଣାସ୍ଥଳରେ ପଡିଥିବା ରକ୍ତ ଦାଗକୁ ଦେଖିଲେ ବହୁ ସଂଖ୍ୟାରେ ନକ୍ସଲ ମୃତ୍ୟୁ ବରଣ କରିଥିବା ଏବଂ ଆହତ ହୋଇଥିବା ଅନୁମାନ କରାଯାଉଛି। ଶେଷ ଖବର ସୁଦ୍ଧା ସର୍ଚ୍ଚ ଅପରେସନ ଚାଲିଥିବାରୁ ନକ୍ସଲଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ବୋଲି ପୁଲିସ ଅନୁମାନ କରୁଛି। ଅନ୍ୟପକ୍ଷରେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିବା ନକ୍ସଲ ଓଡିଶା ମୁହାଁ ହୋଇଥିବା ସୂଚନା ମିଳିଛି। ଯେହେତୁ ତେଲେଙ୍ଗାନା-ଛତିଶଗଡ ସୀମାନ୍ତ ଏହି ଅଞ୍ଚଳ ଠାରୁ ଓଡିଶାର ସୀମା ଅଳ୍ପ ଦୂରରେ ରହିଥିବାରୁ ନକ୍ସଲ ମାଲକାନଗିରି ପଶିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର