ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ରାଇଘର: ରାଇଘର ବ୍ଲକ ଖୁଡୁକୁ ଗ୍ରାମରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର କୁନ୍ଦେଇ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଖୁଡୁକୁ ଗ୍ରାମ ପୂଜାରୀପାରା ଗ୍ରାମର ରାଜକୁମାର ଗଣ୍ଡ(୨୦)  ସକାଳ ୯ଟାରେ ୩ଜଣ ନାବାଳିକାଙ୍କୁ ଏକ ବାଇକ୍‌ରେ ବସାଇ ନିଜ ଜମିକୁ ମକା ଭାଙ୍ଗିବାକୁ ଯାଉଥିଲେ। ତେବେ ପଛପଟୁ ଆସୁଥିବା ଏକ ନୀଳଗିରି କାଠ ବୋଝେଇ ଟ୍ରକ୍‌(ସିଜି ୦୪ଜେଡି ୭୩୯୫) ଏହି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ବସିଥିବା ୩ଜଣ ନାବାଳିକା ରାସ୍ତା ପାର୍ଶ୍ୱକୁ ଛିଟିକି ପଡିଥିବା ବେଳେ ବାଇକ୍‌ ଚାଳକ ରାଜ ହଠାତ୍‌ ଟ୍ରକ୍‌ ଚକା ତଳେ ପଡି ଯାଇଥିଲେ। ତାଙ୍କ ଉପରେ ଟ୍ରକ୍‌ ଚକା ମାଡିଯିବାରୁ ଘଟଣାସ୍ଥଳରେ ହିଁ ରାଜଙ୍କ ମୃତ୍ୟୁ ହୋଇଯାଇଥିଲା।

ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର କୁନ୍ଦେଇ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ପରେ କୁନ୍ଦେଇ ଥାନା ଅଧିକାରୀ ଭଗବାନ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେହିପରି ପୁଲିସ ଟ୍ରକ୍‌ଟିର କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି। ଏହି ଟ୍ରକ୍‌ରେ ଚଟାଗୁଡା ଅଞ୍ଚଳରୁ ନୀଳଗିରି କାଠ ବୋଝେଇ ହୋଇ ରାୟପୁରକୁ ଚାଲାଣ ହେଉଥିବା ସୂଚନା ମିଳିଛି। ତେବେ ନୀଳଗିରି କାଠ ଚାଲାଣ ନେଇ ଗାଡି ମାଲିକ ଉପଯୁକ୍ତ କାଗଜପତ୍ର କୁନ୍ଦେଇ ଥାନାରେ ଦେଖାଇ ପାରିନଥିବାରୁ ଗାଡିଟି ଥାନାରେ ଅଟକ ରହିଥିବା ଥାନା ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର