ମାଲକାନଗିରି : ଅନ୍ଧବିଶ୍ବାସର ବିଷମ ପରିଣତି। ଗୁଣିଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା। ମାଲକନଗିରି ବ୍ଲକ ଚାଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମାଲକାନଗିରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁଯାୟୀ, ନୂଆଗୁଡ଼ା ଗାଁର ଦେବା କାବାସୀଙ୍କ ବାପା ଗତକାଲି ମୃତ୍ୟୁବରଣ କରିଥିଲେ। ମାସକ ତଳେ ଭାଇର ମଧ୍ୟ ଅକାଳ ମୃତ୍ୟୁ ହୋଇଥିଲା। ମାସକ ମଧ୍ୟରେ ବାପା ଏବଂ ଭାଇଙ୍କୁ ହରାଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ଦେବା। ଉଭୟଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିନଥିବା ବେଳେ ଏମିତି ମାନସିକ ସ୍ଥିତିରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ତାଙ୍କ ମୁଣ୍ଡରେ ପଶିଥିଲା। ଏହାପରେ ସେ ସନ୍ଦିଗ୍ଧ ଗୁଣିଆକୁ ଖୋଜିବା ଆରମ୍ଭ କରିଥିଲେ। ପୂର୍ବରୁ ସେ ଶୁଣିଥିଲେ ଯେ, ଗାଁର ଉରା ପଡ଼ିଆମି ଗୁଣିଗାରେଡ଼ି କରୁଛନ୍ତି। ତେଣୁ ସବୁ ସନ୍ଦେହ ଯାଇ ଉରାଙ୍କ ନିକଟରେ ଅଟକି ଯାଇଥିଲା। ଆଜି ସକାଳେ ଉରାଙ୍କୁ ରାସ୍ତାରୁ ହଟାଇବା ପାଇଁ ଗୋଟିଏ ଟାଙ୍ଗିଆ ନେଇ ଦେବା ଘରୁ ବାହାରିଥିଲା। କେହି କିଛି ବୁଝିବା ପୂର୍ବରୁ ଘର ବାରଣ୍ଡାରେ ବସିଥିବା ଉରାଙ୍କ ଉପରେ ଟାଙ୍ଗିଆ ଚୋଟ ପକାଇଥିଲା ଦେବା। ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ଉରାଙ୍କ ମୃତ୍ୟୁ ହୋଇଯାଇଥିଲା। ଦିନ ଆଲୁଆରେ ଏହି ହତ୍ୟାକାଣ୍ଡ ଖବର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତ ଦେବାକୁ କାବୁ କରାଯାଇଥିବା ବେଳେ ପୁଲିସକୁ ଖବର ସଂପର୍କରେ ସୂଚନା ଦିଆଯାଇଥିଲା। ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ହତ୍ୟା ମାମଲା ରୁଜୁ କରି ପୁଲିସ ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/arrest-ff.jpeg)