ଆଶୀର୍ବାଦ କଲୋନି ଏବେ ନୂଆ ଠିକଣା

ଗାଁକୁ ଫେରିପାରୁନାହାନ୍ତି ନକ୍ସଲ ବିତାଡ଼ିତ ପରିଚୟ ପତ୍ର ନଥିବାରୁ ଭୋଟରୁ ବଞ୍ଚିତ

ମାଲକାନଗିରି: ନକ୍ସଲଙ୍କ ଧମକ ଏବଂ ଭୟରେ ଜିଲ୍ଲାର ଅଧିକାଂଶ ଗ୍ରାମରୁ ଲୋକେ ପ୍ରାଣଭୟରେ ଗାଁ ଛାଡିବା ନୂଆ ଘଟଣା ନୁହେଁ। ନକ୍ସଲଙ୍କ ଦ୍ବାରା ବିତାଡିତ ପରିବାର ଜିଲ୍ଲାର କେଉଁଠି ରହୁଛନ୍ତି ତାହାର ସଠିକ୍ ହିସାବ କାହା ନିକଟରେ ନଥିବା ବେଳେ କିଛି ଗ୍ରାମବାସୀ ଏବେ ମାଲକାନଗିରି ନିକଟସ୍ଥ ଆଶୀର୍ବାଦ କଲୋନିରେ ରହୁଥିବା ଜଣାଯାଇଛି। ଅନ୍ୟପଟେ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ଗାଁରୁ ନକ୍ସଲଙ୍କ ଦ୍ବାରା ବିତାଡିତ ପରିବାର ଜିଲ୍ଲାର କେଉଁ ସ୍ଥାନରେ ଅଛନ୍ତି ତାହା କାହାକୁ ଜଣାନାହିଁ। ପ୍ରଶାସନ ନିକଟରେ ବି ଏହାର ସଠିକ୍ ସୂଚନା ନଥିବା ବେଳେ ସରକାରଙ୍କ ପକ୍ଷରୁ ବି ଏହି ପରିବାରଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।
ମାଥିଲି ଓ କାଲିମେଳା ବ୍ଲକରୁ ନକ୍ସଲଙ୍କ ଦ୍ବାରା ବିତାଡିତ ହୋଇଥିବା ପରିବାର ଏବେ ମାଲକାନଗିରି ପୌର ପରିଷଦ ଅଧୀନସ୍ଥ ଆଶୀର୍ବାଦ କଲୋନିରେ ବସା କରିଛନ୍ତି। ଜିଲ୍ଲାରେ ଏବେ ନକ୍ସଲଙ୍କ ଭୟ କମିଥିଲେ ବି ଏହି ପରିବାର ନିଜ ଭିଟାମାଟିକୁ ଫେରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଯେ କୌଣସି ମୁହୂର୍ତ୍ତରେ ନକ୍ସଲ ଆକ୍ରମଣର ଭୟ ଆଜି ବି ଘାରୁଥିବା ଯୋଗୁଁ ଏହି ପରିବାର ନିଜ ଭିଟାମାଟିକୁ ଫେରିବେ ନା’ ଏଠାରେ ପଡିରହିବେ ତାହା ଚିନ୍ତା କରିପାରୁନାହାନ୍ତି। ସ୍ଥାନୀୟ ଆଶୀର୍ବାଦ କଲୋନିରେ ମାଥିଲି ବ୍ଲକର ଟେମରୁପାଲ୍ଲୀ, ମହୁପଦର, କମାରପାଲ୍ଲୀ ପଞ୍ଚାୟତର ପ୍ରାୟ ୧୫ଟି ପରିବାର ଏବଂ କାଲିମେଳା ଅଂଚଳରୁ ପ୍ରାୟ ୫ରୁ ୧୦ଟି ପରିବାର ନକ୍ସଲ ଭୟରେ ଗାଁ ଛାଡି ଏଠାରେ ପିଲାଛୁଆଙ୍କୁ ନେଇ ରହୁଛନ୍ତି। ଗାଁର ଘର, ଗୃହପାଳିତ ପଶୁ, ଖାଦ୍ୟଶସ୍ୟ, କଂସାବାସନ, ପରିଚୟ ପତ୍ର, ରାସନ କାର୍ଡ ଆଦି ଛାଡି ଏବେ ଦାନା ଟିକକ ପାଇଁ ଅହରହ ପରିଶ୍ରମ ଜାରି ରଖିଛନ୍ତି। ନିକଟରେ ପରିଚୟ ପତ୍ର ନଥିବା ଯୋଗୁଁ କୌଣସି ସୁବିଧା ମିଳିପାରୁନଥିବା ବେଳେ ଗତ ନିର୍ବାଚନରେ ଏମାନେ ଭୋଟ ଦେବାରୁ ବି ବଞ୍ଚିତ ହୋଇଛନ୍ତି। ପରିଚୟ ପତ୍ର ନଥିବାରୁ ପ୍ରଶାସନ କୌଣସି ସହଯୋଗ କରୁନଥିବା ପ୍ରକାଶ କରିଛନ୍ତି।
ଏହି ଘଟଣା ଆଜିର ନୁହେଁ, ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏମାନେ ନକ୍ସଲଙ୍କ ନିର୍ଯାତନା ସହି ଆସୁଥିଲେ। ନକ୍ସଲ ମାଥିଲି ବ୍ଲକର ମହୁପଦର, ଟେମରୁପାଲ୍ଲୀ, କମାରପାଲ୍ଲୀ ପଞ୍ଚାୟତର ପ୍ରାୟ ପନ୍ଦରରୁ ଊର୍ଦ୍ଧ୍ବ ଗ୍ରାମକୁ ନିଜ କବଜାରେ ରଖିଥିବା ବେଳେ ଦଣ୍ଡିପଦର, ସାନରାଙ୍ଗବେଡା, ମହୁପଦର, ଚିଉରକୋପା, ମୁଣ୍ଡାଗୁଡା ଗ୍ରାମର ପ୍ରାୟ ୧୪ଟି ପରିବାର ନକ୍ସଲଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଗ୍ରାମର ଚିତ୍ତରଂଜନ କୋଲାର, ଦେବ ମାଢି, ଜୟରାମ କୋଡା, ଆଡମା ମାଢି, ଶୁକ୍ରା ଡୋଡି, ସମାରୁ ଡୋଡି, ସେନା ମାଢି, ସୁକା ମାଢି, ଆରମା ମାଢି, ଆଦମା ଡୁଡି, ରତା କାବାସୀ, ଆଡମା ମାଢି ଏବଂ ଶୁଦ୍ର ସଗରିଆ ପ୍ରମୁଖ ନିର୍ଯାତିତ ହୋଇ ଗାଁ ଛାଡ଼ିଥିଲେ। ମାଓବାଦୀ ସବୁବେଳେ ଏମାନଙ୍କ ଉପରେ ନଜର ରଖିବା ସହ ହାଟକୁ କିମ୍ବା ମାଲକାନଗିରି ହସ୍ପିଟାଲକୁ ଗଲେ କିମ୍ବା କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ଗଲେ ଟାର୍ଗେଟ କରି ନିର୍ଯାତନା ଦେଉଥିବା କହିଛନ୍ତି। ପୁଲିସ ଇନଫର୍ମର ଭାବେ ଚିତ୍ରତ କରୁଥିଲେ। ଯାହାକୁ ସଂଦେହ କରୁଥିଲେ ଜଂଗଲ ଭିତରକୁ ନେଇ ହତ୍ୟା କରୁଥିଲେ। ନକ୍ସଲ ଯେତେ ହତ୍ୟା କରିଛନ୍ତି ସେ ସଂପର୍କରେ ନା’ ପୋଲିସ ନିକଟରେ କୌଣସି ଖବର ଅଛି ନା’ ଗଣମାଧ୍ୟମ କିମ୍ବା ପ୍ରଶାସନର ନିକଟରେ ରହିଛି ବୋଲି କହିଛନ୍ତି। ଭୟରେ ଗ୍ରାମବାସୀ ପାଟି ଖୋଲିବାକୁ ସାହାସ କରିପାରୁନଥିଲେ। ନକ୍ସଲଙ୍କ ବୈଠକକୁ ନଗଲେ ମାଡ଼ ସହ ଜରିମାନା ଆଦାୟ କରାଯାଉଥିଲା। ଜଣେ ନିର୍ଯାତିତ ବ୍ୟକ୍ତିଙ୍କ କହିବା ହେଲା ପୁଅ ବିଷ ଖାଇଥିବାରୁ ମାଲାକନଗିରି ମେଡିକାଲରେ ଦଶ ଦିନ ରହି ଗ୍ରାମକୁ ଫେରିଥିଲେ। ନକ୍ସଲ ତାଙ୍କୁ ବୈଠକରେ ଡାକି ବିଭିନ୍ନ ପ୍ରଶ୍ନ କରି ନିର୍ଯାତନା ଦେଇଥିବା କହିଛନ୍ତି। ନକ୍ସଲଙ୍କୁ ସବୁ ଦେଲୁ କିନ୍ତୁ ସେମାନେ ଆମକୁ ଖାଲି ନିର୍ଯାତନା ଦେଲେ। ଦୀର୍ଘ ଦିନ ଧରି ଭିଟାମାଟି ଛାଡିଥିବା ଏହି ପରିବାର ଏବେ ନିଜ ପରିଚୟ ଖୋଜୁଛନ୍ତି। କୁଲି କରି ପରିବାର ପୋଷୁଛନ୍ତି। ଜିଲ୍ଲା ପ୍ରଶାସନ ଓ ସରକାର ଏଦିଗରେ ଦୃଷ୍ଟି ଦେବା ସହ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର