ବିଧାନସଭା ସବ୍‌ କମିଟିର ମାଲକାନଗିରି ଗସ୍ତ

ମାଲକାନଗିରି: ଆଜି ବିଧାନସଭାର ସବ କମିଟି ମାଲକାନଗିରି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛି। ଏହି କମିଟିରେ ଅଧ୍ୟକ୍ଷ ବିଧାୟକ ଯୋଗେନ୍ଦ୍ର ବେହେରା ରହିଥିବା ବେଳେ କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି ରହିଥିଲେ। ଡିଆରଡିଏ ସଭାଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଜିଲ୍ଲାପାଳ ମନିଶ ଅଗ୍ରୱାଲ,ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗ,ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଏହି ବୈଠକରେ ବିଶେଷକରି ଭୂମିହୀନମାନଙ୍କୁ କିପରି ଜାଗା ଯୋଗାଇ ଦିଆଯିବ, ବିସ୍ଥାପିତ ପରିବାରକୁ ସେମାନଙ୍କର ହକ୍‌ ମିଳିଛି କି ନାହିଁ,ଜଂଗଲଜାତ ଦ୍ରବ୍ୟର ମୂଲ୍ୟାୟନ, ରାସ୍ତା ,ଜଳ ଯୋଗାଣ ବିଷୟରେ ଆଲୋଚନା କରାଯାଇଥିଲା।ମାଲକାନଗିରି ଭଲି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଯେଉଁ ଅଧିକାରୀମାନେ କାର୍ଯ୍ୟରତ ରହିଛନ୍ତି ସେମାନେ ନିଜର ଘର ଭାବି କାମ କରିବାକୁ ଅଧ୍ୟକ୍ଷ ଶ୍ରୀ ବେହାରା ଅନୁରୋଧ କରିଥିଲେ। ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏହି କମିଟିକୁ ଅବଗତ କରାଇଥିଲେ।ଜିଲ୍ଲାରେ ରହିଥିବା ସାତୋଟି ଇରିଗେସନ ପ୍ରଜେକ୍ଟ ସଂପର୍କରେ କହିବା ସହ ବିକାଶମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜିଲ୍ଲାର ସମସ୍ତ ଗ୍ରାମକୁ ଯେପରି ବିଜୁଳି ପହଞ୍ଚିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଆସନ୍ତାକାଲି ଏହି କମିଟି କୋରାପୁଟ ଯିବାର କାର୍ଯ୍ୟକ୍ରମ ରହିିଛି।
ମାଥିଲି : ମାଥିଲି ବ୍ଲକକୁ ବିଧାନସଭା ସବ୍‌ କମିଟି ଗସ୍ତ କରିଥିଲେ। ଅଧ୍ୟକ୍ଷ ଯୋଗେନ୍ଦ୍ର ବେହେରା ତାଙ୍କ ଗସ୍ତ ସମୟରେ ଆରଏମସି ଗୋଦାମ ଗୃହ ଠାରେ ନିର୍ମିତ ମଣ୍ଡି ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଅଧିକାରୀଙ୍କୁ ମଣ୍ଡିରେ କିଣା ଯାଇଥିବା ଧାନ ସମ୍ପର୍କରେ ରିପୋର୍ଟ ମାଗିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଥିଲି ବ୍ଲକରୁ ପୁଣି ୩୦ହଜାର କ୍ୱିଣ୍ଟାଲ ଧାନ କିଣାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ। ପ୍ରଥମେ ଗୋଦାମ ଗୃହ ପରିସରରେ ମାଲକାନଗିରି ଜିଲ୍ଲାରେ ଧାନକିଣା ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକ ଏହାର ଅଧ୍ୟକ୍ଷତା କରିଥିଲେ। ଏଥିରେ ଶ୍ରୀ ବେହେରାଙ୍କ ସମେତ କମିଟି ସଦସ୍ୟ ଚନ୍ଦ୍ରଶେଖର ମାଝୀ, ଏଡିଏମ୍‌ ରଘୁମଣି ଗମାଙ୍ଗ, ସବ୍‌ କମିଟି ଅଧିକାରୀ ଧର୍ମରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଜାନୁଆରି ଶେଷ ସୁଦ୍ଧା ବ୍ଲକର ବିଭିନ୍ନ ମଣ୍ଡିରୁ ୨ହଜାର ୮୪୦ଚାଷୀଙ୍କ ଠାରୁ ୭୬ହଜାର ୮୧୪ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ଜଣାପଡିଛି। ସେହିପରି ଚାଷୀ ଠିକ୍‌ ସମୟରେ ଟଙ୍କା ପାଉଛନ୍ତି କି ନାହିଁ ବୋଲି ପଚାରିବାରୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଥିବା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ ସୂଚନା ଦେଇଥିଲେ। ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ପଞ୍ଜିକରଣ ଅନୁସାରେ ୬୦ହଜାର ପ୍ୟାକେଟ ଧାନ ଗଛିତ ରହିଥିବା ଚାଷୀ ଅବଗତ କରାଇବାରୁ ଏପ୍ରିଲ ପର୍ଯ୍ୟନ୍ତ ମଣ୍ଡି ସଂପ୍ରସାରଣ କରି ସମସ୍ତ ଧାନ କ୍ରୟ କରାଯିବ ବୋଲି ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ। ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ମାଝୀ, ତହସିଲଦାର ଅପର୍ଣ୍ଣା କଅଁର, ବିଡିଓ ଅଗସ୍ତି ପ୍ରଧାନ, ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମୀ, ମାଥିଲି ବଜାର କମିଟି ଇନ୍‌ଚାର୍ଜ ଉଦୟଭାନୁ ପାତ୍ର, ଯୋଗାଣ ଅଧିକାରୀ ବ୍ୟୋମକେଶ ମାଝୀ, ପିଆଇ ଜଗନ୍ନାଥ ସାହୁ, ଲ୍ୟାମ୍ପସ ସଭାପତି ଡମୁ ନାୟକ, ନିର୍ଦ୍ଦେଶକ ଧନୀରାମ ସଗରିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର