ବଡଡୁରାଲରେ ପୋଷ୍ଟର ମାରିଲେ ନକ୍ସଲ

ମାଲକାନଗିରି/ଲମତାପୁଟ: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ, ସାନଡୁରାଲ ସହଅଞ୍ଚଳରେ ପୋଷ୍ଟର ମାରି ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଏଥିରେ ପୁଲିସ ଏବଂ ବିଏସଏଫକୁ ନକ୍ସଲଙ୍କ ସୂଚନା ଦେଉଥିବା ଇନଫର୍ମରଙ୍କୁ ସିଧାସଳଖ ଚେତାବନୀ ଦିଆଯାଇଛି। ଯେଉଁମାନେ ବିଏସେଫ ସହ ମିଶି ନକ୍ସଲ ସଂଗଠନ ସଂପର୍କରେ ସୂଚନା ଦେଉଛନ୍ତି, ସେମାନେ ଜନତାଙ୍କ ସାମ୍ନାରେ କ୍ଷମା ମାଗିଲେ ଭଲ କଥା ନଚେତ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ। ବାଙ୍ଗାବାଡି, ବଡଡୁରାଲ, ସାନଡୁରାଲ, ଅନକାଡେଲି, ଯଡାମ, ବଦ୍ରିଗୁଡା, ଓନଗେଲ, ବାଲକଣ୍ଡ ଭଳି ଗ୍ରାମରେ ବିଏସଏଫର ଇନଫର୍ମର ରହୁଛନ୍ତି। ଏ ସମସ୍ତ ଗ୍ରାମର ଲୋକେ ବିଏସଏଫ କଥା ଶୁଣି କାମ କରୁଛନ୍ତି।

ତେବେ କେତେ ଦିନ ଏମାନେ ବିଏସଏଫ କଥା ଶୁଣିବେ ବୋଲି କହିଛନ୍ତି। ପୁଣି ସଡକ ନିର୍ମାଣ ହେଲେ କେବେ ହେଲେ ବିକାଶ ହେବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି। ସଡକ ନିର୍ମାଣ କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଛନ୍ତି। ସରକାର ଲୋକଙ୍କ ବିକାଶ ନାମରେ ବିନାଶ କରୁଛନ୍ତି। ଗରିବ ଜନତାଙ୍କୁ ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ଜମି ଇତ୍ୟାଦି ମୌଳିକ ସୁବିଧା ମିଳୁନାହିଁ। ସରକାର ଏହାକୁ ପୂରଣ ନକରି ଗରିବଙ୍କୁ ଠକୁଛି ବୋଲି ନକ୍ସଲ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ସୂଚନାଦାତାମାନେ ତୁରନ୍ତ ସୁଧୁରିଯାନ୍ତୁ ନଚେତ ପ୍ରଜାକୋର୍ଟରେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କୁହାଯାଇଛି। ବ୍ୟାନର ତଳେ ସିପିଆଇ ମାଓବାଦୀ ମାଲକାନଗିରି-କୋରାପୁଟ-ବିଶାଖପାଟଣା ବୋର୍ଡ ଡିଭିଜନ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର